୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଏପ୍ରିଲ ୨୮ରୁ ପଞ୍ଜିକରଣ
ନୂଆଦିଲ୍ଲୀ : ଦେଶ ତଥା ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଏହାରି ମଧ୍ୟରେ ମେ’ ପହିଲାରୁ ୩ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ସମସ୍ତ ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଏପ୍ରିଲ ୨୮ରୁ ପଞ୍ଜିକରଣ ଆରମ୍ଭ ହେବ । ସରକାରଙ୍କ କୋଓ୍ବିନ ପ୍ଲାଟଫର୍ମ ଓ ଆରୋଗ୍ୟ ସେତୁ ଆପ ମାଧ୍ୟମରେ ଏହି ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇପାରିବ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମାତ୍ର ଏନେଇ ଆଜି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତା ଶନିବାର ଅର୍ଥାତ ଏପ୍ରିଲ ୨୪ରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ସରକାରଙ୍କ ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଛି । ଏପରି ଗୁଜବ ଓ ମିଥ୍ୟା ଖବର ଉପରେ ବିଶ୍ୱାସ ନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।
Don’t get misguided by rumours/news stating that registration for vaccination of 18+ citizens to start from 24th April 2021! The registrations will start on the #CoWIN platform and Aarogya Setu App from 28th April 2021 onwards. Stay informed, stay safe! #IndiaFightsCorona pic.twitter.com/i2SwCyRgFY
— MyGovIndia (@mygovindia) April 22, 2021
ଟିକାକରଣ ପ୍ରକ୍ରିୟା ଓ ଏଥିପାଇଁ ଆବଶ୍ୟକ କାଗଜପତ୍ର ପୂର୍ବ ଭଳି ଅପରିବର୍ତ୍ତିତ ରହିଛି। କୋଭିଡ୍ ସଂକ୍ରମଣ କ୍ଷେତ୍ରରେ ସମ୍ପ୍ରତି ବିଶ୍ୱର ସବୁଠୁ ଅଧିକ ଦ୍ରୁତତର ଦେଶ ଭାବେ ପରିଗଣିତ ହେଉଥିବା ଭାରତର ଦୈନିକ ସଂକ୍ରମଣ ସଂଖ୍ୟା ଆଜି ଯୁକ୍ତରାଷ୍ଟ୍ର ଆମେରିକାକୁ ଟପିଯାଇଛି। ସେହି କାରଣରୁ ପ୍ରଥମ କରି ସମସ୍ତ ପ୍ରାପ୍ତ ବୟସ୍କଙ୍କ ଲାଗି ସରକାର ଟିକାକରଣ ବ୍ୟବସ୍ଥା ଉନ୍ମୁକ୍ତ କରିଛନ୍ତି । ସେହିପରି ନୂତନ ଟିକା ନିମୟ ଅନୁସାରେ, ଟିକାକରଣ ନିମନ୍ତେ ରାଜ୍ୟ ଓ ଘରୋଇ ସଂସ୍ଥାମାନେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଟିକା ଖରିଦ କରିପାରିବେ। ଏଯାବତ୍ ଟିକା ନେବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ପ୍ରତ୍ୟକ୍ଷ ସେବା ଦେଉଥିବା କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କୁ କେନ୍ଦ୍ର ସରକାର ପୂର୍ବଭଳି ଟିକା ଦେଇ ଚାଲିବେ। ସୂଚନା ଯେ, ଗତ ସୋମବାର କେନ୍ଦ୍ର ସରକାର ଦେଶରେ ୩ୟ ପର୍ଯ୍ୟାୟ ଟିକାକରଣ ସମ୍ପର୍କରେ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ପର୍ଯ୍ୟାୟରେ କରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ, ବୟସସୀମା ଆଦିକୁ କୋହଳ କରାଯାଇଛି ।