ବିଶ୍ୱାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ଧର୍ମରେ ରାମନବମୀର ବିଶେଷ ମହତ୍ତ୍ୱ
ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀକୁ ରାମ ନବମୀ ଭାବରେ ପାଳନ କରାଯାଏ । ଏହିଦିନ ପୁଣର୍ଭାସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କ ଜନ୍ମ ହୋଇଥିଲା।
ହିନ୍ଦୁ ପୁରାଣ ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୁଳରେ ଜନ୍ମ ହୋଇଥିଲେ ଶ୍ରୀରାମ। ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସକୁ ରାମନବମୀ ରୂପେ ପାଳନ କରାଯାଏ ।
ଶାସ୍ତ୍ର ଅନୁଯାୟୀ ଚୈତ୍ର ଶୁକ୍ଲ ନବମୀ ତିଥି ଦ୍ବିପହର ସମୟରେ ଧରାବତରଣ କରିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ । ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀରାମ ଅଯୋଧ୍ୟା ନରେଶ ଦଶରଥଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ।ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ସମେତ ସାରା ଦେଶରେ ବଡ ଧୁମଧାମ ଓ ଜାକଜମକରେ ପାଳିତ ହୋଇଥାଏ ରାମନବମୀ ।
ପୌରାଣିକ ମାନ୍ୟତା ଅନୁସାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଅବତାରୀ ପୁରୁଷ ଥିଲେ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କୁ ଭଗବାନ ବିଷ୍ଣୁଙ୍କର ୭ମ ଅବତାର ବୋଲି କୁହାଯାଏ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଧରା ପୃଷ୍ଠରେ ମର୍ଯ୍ୟାଦା ଓ ଆତ୍ମ ସଂଯମତା ରକ୍ଷା କରିବାକୁ ସନ୍ଦେଶ ଦେଇଥିଲେ । ତେଣୁ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ବୋଲି କୁହାଯାଏ ।
ଶ୍ରୀରାମ ଚନ୍ଦ୍ର ଅବତାରୀ ପୁରୁଷ ଥିଲେ ମଧ୍ୟ ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କର ଜ୍ୟୋଷ୍ଠ ସନ୍ତାନ ରୂପେ ଜନ୍ମ ନେଇଥିଲେ । ଶ୍ରୀ ରାମଙ୍କ ଜନ୍ମ ପରେ ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେବା ସହିତ ଅପସରା ମାନେ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀ ରାମଙ୍କ ଜନ୍ମ ପରେ ଦଶରଥଙ୍କର ଅନ୍ୟ ଦୁଇ ରାଣୀ କୈକେୟୀ ଭରତ ଓ ସୁମିତ୍ରାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘନ ଜନ୍ମ ନେଇଥିଲେ । ଶ୍ରୀ ରାମଚନ୍ଦ୍ର ନିଜର ଭାଇ ମାନଙ୍କ ସହିତ ବାଲ୍ୟଲୀଳା ସାରି ଉପନୀତ ବୟସରେ ଗୁରୁ ବଶିଷ୍ଠ ଙ୍କ ନିକଟରୁ ବିଦ୍ୟା ଲାଭ କରିଥିଲେ ।
ବୟସ ବୃଦ୍ଧି ହେବା ସଂଗେ ସଂଗେ ଶ୍ରୀ ରାମଚନ୍ଦ୍ରଙ୍କର ତେଜସ୍ୱୀ ରୂପ ସାଙ୍ଗକୁ ଗୁଣ ଗାରିମା ବଢି ଚାଲିଲା । ଏହା ଦେଖି ଅନ୍ୟ ୩ ଭାଇ ମଧ୍ୟ ଶ୍ରେଷ୍ଠ ଭ୍ରାତାଙ୍କ ଅନୁସରଣ କଲେ । ୪ ଭାଇଙ୍କର ଗୁଣ ଗାରିମା ତେଜସ୍ୱି ରୂପ ଦେଖି ଅଯୋଦ୍ଧା ବାସୀ ଆନନ୍ଦିତ ହେଲେ । ସେମାନେ ବିଦ୍ୟା ଲାଭ କରିବା ସହିତ ଅସ୍ତ୍ର ଚାଳନା,ରାଜପାଠ ସହିତ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ସବୁଥିରେ ପାରଙ୍ଗମ ହୋଇ ଉଠିଲେ । ରାଜା ଦଶରଥଙ୍କ ହୃଦୟ ତାଙ୍କର ଚାରିପୁଅଙ୍କୁ ଦେଖି ଗର୍ବ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲା ।