ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ : ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ରବିବାର ଡେରାଡୁନ ସ୍ଥିତ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି । ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପୀନୟତାର ଶପଥ ପାଠ କରାଇଛନ୍ତି । ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଶପଥ ଗ୍ରହଣ ସମାରୋହରେ ଉତରାଖଣ୍ଡ ସରକାରଙ୍କ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ପ୍ରକାଶଥାଉକି ଗତ ଶୁକ୍ରବାର ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗତ ଶୁକ୍ରବାର ତୀରଥ ସିଂହ ରାୱତ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଥିଲା । ଉତରାଖଣ୍ଡ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ସାଙ୍ଗକୁ ଦୁଇ ଥର ବିଧାୟକ ହୋଇଥିବା ପୁଷ୍କରଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଆସ୍ଥା ପ୍ରକଟ କରିଥିଲେ । ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ସେ କେବେ ହେଲେ ମନ୍ତ୍ରୀ ହୋଇ ନଥିଲେ । ପୁଷ୍କର ଧାମୀ ଉତରାଖଣ୍ଡର ଖଟିମା ବିଧାନସଭା ଆସନରୁ ବିଧାୟକ ଥିବାବେଳେ ଆରଏସଏସର ଜଣେ ସକ୍ରିୟ ସଦସ୍ୟ ଅଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହଙ୍କ ସହ ଧାମିଙ୍କ ସମ୍ପର୍କ ବେଶ ନିବିଡ଼ ଥିବା ଜଣାପଡ଼ିଛି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଡ଼ି. ପୁରନ୍ଦେଶ୍ୱରୀ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଯୋଗ ଦେଇଥିଲେ । ଆସନ୍ତାବର୍ଷ ଉତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ତେଣୁ ପ୍ରାୟ ୮ ମାସ ଧରି ଧାମି ଏହି ପଦରେ କାମ କରିବେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ତୀରଥ ସିଂହ ରାୱତ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ସମୟରେ ସେ ସାଂସଦ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବାର ଥିଲା । କିନ୍ତୁ ମହାମାରୀ କରୋନା ଯୋଗୁ କୌଣସି ଉପନିର୍ବାଚନ ଅନୁଷ୍ଠିତ ହୋଇ ପାରିବ ନାହିଁ ବୋଲି ତୀରଥ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ବେବୀ ରାଣୀ ମøର୍ଯ୍ୟଙ୍କୁ ସେ ଭେଟିବା ପୂର୍ବରୁ ନିଜ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫାପତ୍ର ଦେଇଥିଲେ । ଏହାପରେ ରାଜ୍ୟପାଳଙ୍କୁ ସେ ବିଧିବଦ୍ଧ ଭାବେ ପଦ ଛାଡ଼ିବା ସମ୍ପର୍କରେ ଅବଗତ କରାଇଥିଲେ ।
ସୂଚନାଯୋଗ୍ୟ, ତୀରଥ ସିଂହ ରାୱତ ଗତ ମାର୍ଚ୍ଚ ୧୦ରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ସେ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଶପଥ ଗ୍ରହଣ ସମୟରେ ସେ ଉତରାଖଣ୍ଡ ବିଧାନସଭାରେ ଜଣେ ର୍ନିବାଚିତ ବିଧାୟକ ନଥିଲେ । ସେ ପେରି ଗଡ଼ୱାଲ୍ ଆସନରୁ ଲୋକସଭା ସାଂସଦ ଥିଲେ । ବର୍ତମାନ ମଧ୍ୟ ସେ ସାଂସଦ ଅଛନ୍ତି । ତେବେ ସମ୍ବିଧାନ ଅନୁଯାୟୀ ଜଣେ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ମାସ ମଧ୍ୟରେ ରାଜ୍ୟ ବିଧାନସଭାକୁ ର୍ନିବାଚିତ ହେବାକୁ ପଡ଼ିବ । ତିରଥ ସିଂହ ରାୱତଙ୍କ ପାଖରେ ସେପ୍ଟେମ୍ବର ୧୦ ଯାଏଁ ସମୟ ଥିଲା । ସେ ଉପର୍ନିବାଚନ ଦ୍ୱାରା ରାଜ୍ୟ ବିଧାନସଭାକୁ ଏହି ସମୟ ମଧ୍ୟରେ ର୍ନିବାଚିତ ହୋଇପାରିଥାନ୍ତେ । କିନ୍ତୁ ବର୍ତମାନର କୋଭିଡ୍ ମହାମାରୀ ସଙ୍କଟ ଭିତରେ ରାଜ୍ୟରେ ପର୍ନିବାଚନ ନେଇ ଅନିଶ୍ଚିତତା ଜାରି ରହିଛି ।