ଉଚିତ ପଦକ୍ଷେପ ମହାମାରୀର ଅବସାନ ଘଟାଇବ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ

ନୂଆଦିଲ୍ଲୀ : ସାରା ବିଶ୍ୱକୁ କବଳିତ କରିଛି ମହାମାରୀ କରୋନା। ଦ୍ଵିତୀୟ ଲହର ଜାରି ରହିଥିବା ବେଳେ କେତେକ ଦେଶରେ ତୃତୀୟ ଲହର ମଧ୍ୟ ଆସି ସାରିଲାଣି । ଏହାକୁ ନେଇ ଚିନ୍ତାରେ ବିଶ୍ୱବାସୀ। ଟିକାକରଣ ଜାରି ରହିଥିଲେ ହେଁ ସଂକ୍ରମଣ କମିବାରେ ନାଁ ନେଉନି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍ କହିଛନ୍ତି ଯେ, ଯଦି ବିଶ୍ୱବାସୀ ଉଚିତ ପଦକ୍ଷେପ ସହ ନିୟମ ଅବଲମ୍ବନ କରିବେ ତେବେ ମହାମାରୀର ଅବସାନ ଘଟିବ। ଏଇଟା ଆମ ହାତର କଥା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି, ଆମେ ଏହାର (କୋଭିଡ୍-୧୯) ପରୀକ୍ଷା କରିପାରିବା, ଆମେ ଏହାର ଚିକିତ୍ସା କରିପାରିବା। ଗତ ସପ୍ତାହରେ ‘ହୁ’କୁ ପ୍ରାୟ ୪ ନିୟୁତ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିଲା। ସାମ୍ପ୍ରତିକ ଧାରା ଲାଗି ରହିଲେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ସଂକ୍ରମଣ ମାମଲା ୨୦୦ ନିୟୁତ ଅତିକ୍ରମ କରିଯାଇପାରେ। ବିଗତ ୪ ସପ୍ତାହ ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୬ଟି ଅଞ୍ଚଳରୁ ୫ଟିରେ ହାରାହାରି କୋଭିଡ୍-୧୯ ସଂକ୍ରମଣ ୮୦% ବା ଦୁଇଗୁଣ ବୃଦ୍ଧି ପାଇଛି। ଉପରୋକ୍ତ ସମୟରେ ଦକ୍ଷିଣ ଆଫ୍ରିକାରେ ମୃତ୍ୟୁସଂଖ୍ୟା ୮୦% ବୃଦ୍ଧି ପାଇଛି। ୧୩୨ଟି ରାଷ୍ଟ୍ରରେ ଚିହ୍ନଟ ହୋଇଥିବା ଅତୀବ ସଂକ୍ରମଣଶୀଳ ଡେଲ୍ଟା ଭେରିଆଣ୍ଟ୍ ହେତୁ ଏହି ସଂକ୍ରମଣ ମାମଲା ବହୁଳାଂଶ ବୃଦ୍ଧିପାଇଛି। କୋଭିଡ୍-୧୯ ଭୂତାଣୁ ପରିବର୍ତ୍ତିତ ହେଉଛି ବୋଲି ପ୍ରଥମେ ରିପୋର୍ଟ ମଳିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇ ଦେଇଥିଲା। ଏପର୍ଯ୍ୟନ୍ତ ଚାରିଟି ବିପଜ୍ଜନକ ଭେରିଆଣ୍ଟ୍ ଉତ୍ପତ୍ତି ହେଲାଣି। ଭୂତାଣୁ ସଂକ୍ରମଣ ବିସ୍ତାର କରୁଥିବା ପର୍ଯ୍ୟନ୍ତ ଆହୁରି ଭେରିଆଣ୍ଟ୍ ସୃଷ୍ଟି ହେଉଥିବ।