ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ମାମଲା : ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟିର ମୁଖ୍ୟ ହେଲେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା
ନୂଆଦିଲ୍ଲୀ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ମାମଲାରେ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟିର ମୁଖ୍ୟ ହେଲେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବାଧୀନ କମିଟି ଏହି ମାମଲାର ଯାଞ୍ଚ କରିବ। ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ଆଜି(ବୁଧବାର) ଜଷ୍ଟିସ୍ ମଲହୋତ୍ରାଙ୍କ ନାମ ଘୋଷଣା କରାଯାଇଛି ।
ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବାଧୀନ ପ୍ୟାନେଲରେ ଚଣ୍ଡିଗଡ ପୋଲିସ ଡିଜି, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଇଜି, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଏବଂ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ସଦସ୍ୟ ରହିବେ । ପିଏମ୍ଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ପଛରେ କାରଣ ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ କରାଯିବ । ଏଥିସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ଦିଗରେ ପଦକ୍ଷେପ ନିଆଯିବ ।
ସୂଚନା ଯେ, ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିବାକୁ ପଞ୍ଜାବ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଥିଲା । ସୋମବାର ପ୍ରମୁଖ ବିଚାରପତି ଏନଭି ରମଣାଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପୀଠ ପିଏମ୍ଙ୍କ ସୁରକ୍ଷାରେ ତ୍ରୁଟି ମାମଲାର ଶୁଣାଣି କରିଥିଲେ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଜ୍ଙ୍କ ନେତୃତ୍ବରେ ନୂଆ କରି କମିଟି ଗଠନ କରାଯାଇ ତଦନ୍ତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାର ଗଠିତ କରିଥିବା ତଦନ୍ତ କମିଟି ଉପରେ କୋର୍ଟ ରୋକ୍ ଲଗାଇଥିଲେ ।