କରୋନା ମୁକାବିଲା: ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ପରିସ୍ଥିତି ନେଇ ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୪ଟା ୩୦ମିନିଟ ସମୟରେ ହେବାକୁ ଥିବା ଏହି ଆଲୋଚନାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ସମସ୍ତ ନିଜ ନିଜ ରାଜ୍ୟର କରୋନା ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ । କୋଭିଡ୍ ସ୍ଥିତିର ସମୀକ୍ଷା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
ଉକ୍ତ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସହ ଏହି ପ୍ରସଙ୍ଗରେ ସମନ୍ୱୟ ରକ୍ଷା କରିବାକୁ କେନ୍ଦ୍ରୀୟ ଅଧିକାରୀ ଓ ସଂସ୍ଥାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରି ରାଜ୍ୟଓ୍ବାରୀ କୋଭିଡ ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ମିଳିଥିଲା । ନିକଟ ଅତୀତରେ ଦେଶରେ କୋଭିଡ ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁସାରେ, ଭାରତ ବୁଧବାର ୧,୯୪,୭୨୦ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୪୪୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୧୧.୦୫ ପ୍ରତିଶତ ରହିଛି । ଏହି ଅନୁପାତରେ ସକ୍ରିୟ ମାମଲା ୨.୬୫ ପ୍ରତିଶତକୁ ମଧ୍ୟ ବୃଦ୍ଧି ପାଇଲାଣି । ୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଗୃହ ସଚିବ ଅଜୟ ଭାଲା, ନୀତି ଆୟୋଗ ମୁଖ୍ୟଙ୍କ ସହ ଅନ୍ୟ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।
ସୂଚନା ଯେ, ବିଗତ କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଓମିକ୍ରନ୍ ମାମଲା ମଧ୍ୟ ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ରାଜ୍ୟ ସରକାର ନିଜ ନିଜ ସ୍ତରରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।