ଧାରଣା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ, କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ତଥା ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ ଶପ୍ ଡିଲର ଫେଡେରେଶନ (ଏଆଇଏଫପିଏସଡ଼ିଏଫ)ର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦୀ ଆଜି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି । ପ୍ରହ୍ଲାଦ ମୋଦୀ ଏବଂ ଅନ୍ୟ ସଦସ୍ୟମାନେ ଜନ୍ତର ମନ୍ତରରେ ଏକାଠି ହୋଇ ସଂଗଠନର ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପ୍ରହ୍ଲାଦ ମୋଦୀ କହିଛନ୍ତି ଯେ ଏଆଇଏଫପିଏସଡ଼ିଏଫର ପ୍ରତିନିଧି ଦଳ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସଂଗଠନର ଦାବି ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବେ।
ଏଆଇଏଫପିଏସଡ଼ିଏଫର ନଅଟି ଦାବି ରହିଛି, ଯେଉଁଥିରେ ରାସନ କେନ୍ଦ୍ର ମାଧ୍ୟମରେ ବିକ୍ରି ହେଉଥିବା ଚାଉଳ, ଗହମ, ଚିନି, ଖାଇବା ତେଲ ଏବଂ ଡାଲି ଉପରେ ହେଉଥିବା କ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ ଦାବି ମଧ୍ୟ ରହିଛି | ଏହାଛଡ଼ା ସେମାନେ ସାରା ଦେଶରେ ‘ପଶ୍ଚିମବଙ୍ଗ ରାସନ ମଡେଲ’ ଲାଗୁ କରିବାକୁ ଦାବି ମଧ୍ୟ କରିଛନ୍ତି । ପ୍ରହ୍ଲାଦ ମୋଦୀ କହିଛନ୍ତି, ବୁଧବାର ଏଆଇଏଫପିଏସଡ଼ିଏଫର ଜାତୀୟ କାର୍ଯ୍ୟକାରିଣୀ ବୈଠକ ହେବ, ଯେଉଁଥିରେ ଭବିଷ୍ୟତ ରଣନୀତି ସ୍ଥିର କରାଯିବ |
ଏହା ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ ନିଜ ବଡ଼ଭାଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରର ନୀତିକୁ ସମାଲୋଚନା କରିବା ସହ ପ୍ରହ୍ଲାଦ ମୋଦୀ ଧାରଣା ଓ ଆନ୍ଦୋଳନରେ ବସିଛନ୍ତି ।