ନେତାଜୀଙ୍କ ପ୍ରତିମା ଉନ୍ମୋଚନ ଓ ‘କର୍ତବ୍ୟ ପଥ’ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଂଟ୍ରାଲ ଭିସ୍ତା ଏଭେନ୍ୟୁର ଉଦଘାଟନ କରିଛନ୍ତି । ଏବେ ଏହା କର୍ତବ୍ୟ ପଥ ନାଁରେ ଜଣାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ ସେଂଟ୍ରାଲ ଭିସ୍ତାର ପୁର୍ନବିକାଶ ପରିଯୋଜନାରେ ସାମିଲ କାର୍ଯ୍ୟକର୍ତାଙ୍କ ସହ କଥା ହୋଇଥିଲେ ।
ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିର ଉନ୍ମୋଚନ କରିଛନ୍ତି । ୨୮ ଫୁଟ୍ ଉଚ୍ଚର ଏହି ପ୍ରତିମୂର୍ତିକୁ ଗୋଟିଏ ଗ୍ରାନାଇଟ୍ ପଥରରେ ନିର୍ମାଣ କରାଯାଇଛି । ରିପୋର୍ଟ ଅନୁସାରେ ଏହାକୁ ନିର୍ମାଣ କରିବା ପାଇଁ ୨୬ ହଜାର ଘଂଟ ସମୟ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ରଖିଥିଲେ । ଏବେ ଏହି ସ୍ଥାନରେ ନେତାଜୀଙ୍କ ବିଶାଳ ମୂର୍ତିର ଅନାବରଣ କରାଯାଇଛି । ଏହି ଅବସରରେ ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଉପନିବେଶବାଦର ପ୍ରତୀକ କିଙ୍ଗସୱେ ଏବେ ଇତିହାସ ହେବ ଏବଂ ସବୁ ଦିନ ପାଇଁ ଲିଭେଇ ଯିବ । କର୍ତବ୍ୟ ପଥ ଭାବେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଉପନିବେଶବାଦର ଆଉ ଏକ ପ୍ରତୀକରୁ ମୁକ୍ତି ପାଇଥିବାକୁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି’ । ଏହି ଉଦଘଟାନୀ କାର୍ଯ୍ୟକ୍ରମ ସମୟରେ ଶ୍ରମଜୀବୀଙ୍କୁ ଭେଟି ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପରେଡ ପାଇଁ ଏହି ପରିଯୋଜନାରେ କାମ କରୁଥିବା ସମସ୍ତଙ୍କୁ ଆମନ୍ତ୍ରିତ କରିବେ ବୋଲି ପିଏମ ମୋଦୀ କହିଛନ୍ତି । ନୂତନ ସେଂଟ୍ରାଲ ଭିସ୍ତା ଏଭେନ୍ୟୁ ଉପରେ ଏକ ପ୍ରଦର୍ଶନୀ ପ୍ରଧାନମନ୍ତ୍ରୀ ମୋଦୀ ଦେଖିଥିଲେ । ସେଂଟ୍ରାଲ ଭିସ୍ତା ଏଭେନ୍ୟୁ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ଯାଏଁ ବ୍ୟାପିଛି । ଏଠାରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ସହ ଅନେକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
Delhi | PM Modi witnesses exhibition on revamped Central Vista Avenue pic.twitter.com/KG4OFHj4Ki
— ANI (@ANI) September 8, 2022
ଗ୍ରାନାଇଟ୍ ପଥରରେ ନିର୍ମିତ ଏହି ଆକର୍ଷଣୀୟ ପ୍ରତିମୂର୍ତି ଉଚ୍ଚତା ୨୮ ଫୁଟ୍, ଲମ୍ବ ୧୦ ଫୁଟ୍ ଓ ଚଉଡ଼ା ୮ ଫୁଟ୍ । ମୂର୍ତି ନିର୍ମାଣ ପାଇଁ ତେଲେଙ୍ଗାନାରୁ ୨୮୦ ମେଟ୍ରିକ୍ ଟନର ଗୋଟିକିଆ ପଥର ଆସିଛି । ଏହି ପଥର ଆଣିବା ପାଇଁ ୧୦୦ ଫୁଟ୍ ଲମ୍ବ ବିଶିଷ୍ଟ ଗୋଟିଏ ୧୪୦ ଚକିଆ ସ୍ୱତନ୍ତ୍ର ଟ୍ରକ୍ ତିଆରି ହୋଇଥିଲା । ଟ୍ରକଟି ୧୬୬୫ କିଲୋମିଟର ରାସ୍ତା ଅତିକ୍ରମ କରି ପଥର ସହ ଦିଲ୍ଲୀରେ ପହଂଚିବା ପରେ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ଓଡ଼ିଆଙ୍କ ହାତରେ ହିଁ ତିଆରି ହୋଇଛି ଏହି ବିଶାଳ ପ୍ରତିମୂର୍ତିର ଡିଜାଇନ୍ । ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ତଥା ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ଏହାର ଡିଜାଇନ୍ କରିଥିଲେ । ପଥର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନେତୃତ୍ୱରେ ୨୬ ହଜାର ଘଂଟାର ସମୟ ଆଉ ୨୮୦ ମେଟ୍ରିକ୍ ଟନର ପଥର ଖୋଦେଇ ପରେ ନେତାଜୀଙ୍କର ଏହି ମୂର୍ତିଟି ତିଆରି ହୋଇଛି । ଅନ୍ୟପକ୍ଷରେ କର୍ତବ୍ୟପଥ ବିଜୟଚୌକରୁ ଇଣ୍ଡିଆ ଗେଟ୍ ଯାଏ ଲମ୍ବିଛି । ଏହି ରାସ୍ତା ଓ ଏହାର ଉଭୟ ପାର୍ଶ୍ୱର ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହି ପୂରା ଅଂଚଳକୁ ସେଂଟ୍ରାଲ ଭିସ୍ତା ଆଭିନ୍ୟୁ କୁହଯାଉଛି । ୩.୨ କିମିର କର୍ତବ୍ୟପଥ ଆଖପାଖରେ ରହିଛି ଲାଲ୍ ଗ୍ରାନାଇଟ୍ ପଥରରେ ନିର୍ମିତ ସାଢ଼େ ୧୫ କିଲୋମିଟର ବ୍ୟାପୀ ୱାକ୍ୱୱେ, ୧୯ ଏକର ପରିମିତ ଅଂଚଳରେ ଆକର୍ଷଣୀୟ କେନାଲ୍ । ଏହା ଉପରେ ୧୬ଟି ବ୍ରିଜ୍ ତିଆରି ହୋଇଛି । ଲୋକଙ୍କ ଆମୋଦ ପ୍ରମୋଦ, ଖାଦ୍ୟପେୟ ସୁବିଧା ପାଇଁ ଫୁଡ୍ ଷ୍ଟଲ୍, ଭେଣ୍ଡିଂଜୋନ୍, ଶୌଚାଳୟ, ପାର୍କିଂ ବ୍ୟବସ୍ଥା, ପଥଚାରୀଙ୍କ ପାଇଁ ଅଣ୍ଡରପାସିଂ ବ୍ୟବସ୍ଥା ରହିଛି । ସେଂଟ୍ରାଲ ଭିସ୍ତା ପ୍ରକଳ୍ପର ଅଧୀନରେ ନିର୍ମାଣ କାମ ଗତ ବର୍ଷ ଫେବୃଆରୀ ୧ରୁ ଆରମ୍ଭ ହୋଇଥିଲା । ଏହାର ସୌନ୍ଦର୍ଯ୍ୟକରଣ କାମ ପ୍ରାୟ ୨୦ ମାସ ଧରି ଚାଲିଥିଲା । ଏବେ ଏହାକୁ ଏହି ଅଂଚଳ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ସେଂଟ୍ରାଲ୍ ଭିସ୍ତା ଅଂଚଳରେ ଏବେ ପ୍ରାୟ ୨ ମାସ ପାଇଁ ପାର୍କିଂ ଫି ଛାଡ଼ ରହିବ । ଏଠାରେ ହଜାରେରୁ ଅଧିକ କାର୍ ଓ ପ୍ରାୟ ୪୦ଟି ବସ୍ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି ।