ପିହୁ ନିଖୋଜ ମାମଲା : ପୋଷ୍ଟର ମାରିଲା ପୋଲିସ, ୫ଲକ୍ଷ ଟଙ୍କାର ପୁରାସ୍କର ଘୋଷଣା
ଯାଜପୁର : ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୁଦନପୁର ଗାଁର ବହୁ ଚର୍ଛିତ ପିହୁ ନିଖୋଜ ମାମଲାରେ ପୋଷ୍ଟର ମାରିଲା ପୋଲିସ । ପିହୁ ସଂପର୍କରେ ସୂଚନାଦାତାଙ୍କୁ ପୋଲିସ ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ବିଞ୍ଝାରପୁର ପୋଲିସ ପକ୍ଷରୁ ଥାନା ସହ ବିଭିନ୍ନ ଛକ ଜାଗାରେ ପୋଷ୍ଟର ମରାଯାଇଛି ।
ବିଞ୍ଝାରପୁର ଥାନା ମଧୁସୁଦନ ପୁର ଗ୍ରାମର କୁନି ଝିଅ ପିହୁର ନିଖୋଜକୁ ପ୍ରାୟ ଦୁଇ ବର୍ଷ ହୋଇଛି। ଏବେ ବି କୁନି ଝିଅର କୌଣସି ସନ୍ଧାନ ମିଳିପାରି ନାହିଁ। ଏହାରି ଭିତରେ ବିଳମ୍ୱରେ ହେଉ ପଛେ ବଡ଼ ପଦକ୍ଷେପ ନେଇଛି ବିଞ୍ଝାରପୁର ପୋଲିସ । ଅନ୍ୟପଟେ ପିହୁର ମାଆ ସିବିଆଇ ତଦନ୍ତ ଲାଗି ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ଦାବି କରିଆସୁଛନ୍ତି । ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ ନିର୍ଦ୍ଦେଶ ନଦେଲେ ଧାରଣାରେ ବସିବାକୁ ବି ମୋନାଲିସା ଚେତାବନୀ ଦେଇଥିଲେ । ଏପରିକି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି ମୋନାଲିସା । ତେବେ ସିବିଆଇକୁ ମାମଲା ହସ୍ତାନ୍ତର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଧୀନରେ ନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇବାକୁ କହିଥିଲେ ଆୟୋଗ ଅଧ୍ୟକ୍ଷା । ଏହାରି ଭିତରେ ପିହୁ ବାବଦରେ ସୂଚନା ଦେବା ବ୍ୟକ୍ତିକୁ ପୋଲିସ ପୁରସ୍କାର ରାଶି ଦେବା ଘୋଷଣା କରି ତଦନ୍ତକୁ ଆଗକୁ ନେବାକୁ ଉଦ୍ୟମ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଯେ, ୨ ବର୍ଷିୟା ଶିଶୁ ପିହୁ ଗତ ୨୦୨୦ ଅଗଷ୍ଟ ୯ ତାରିଖରୁ ନିଖୋଜ ହୋଇଯାଇଛି । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ କିଛି ଲୋକ ଅପହରଣ କରିନେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । କିନ୍ତୁ ପିହୁ ନିଖୋଜକୁ ଇତିମଧ୍ୟରେ ୨ ବର୍ଷ ବିତିଯାଇଛି । ଅଥଚ କୌଣସି ସନ୍ଧାନ ପାଉନି ପୋଲିସ ।