କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଚଳିତ ମାସରେ ପ୍ରଥମ ଥର ପାଇଁ କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ପଇସା କମିଛି। ୧୫ ଦିନ ପରେ ତୈଳ କମ୍ପାନୀମାନେ ଏହି ଦର ହ୍ରାସ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ତେଲ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୯୨.୫୮ ପଇସା ରହିଥିବାବେଳେ ଡିଜେଲ ୯୨.୪୩ ପଇସା ରହିଛି।
ଏହାପୂର୍ବରୁ ଗତ ୧୫ ଦିନ ହେବ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା । ବୁଧବାର ଅଶୋଧିତ ତୈଳ ବଜାରରେ ଦର ପ୍ରାୟ ୫ ପ୍ରତିଶତ ହ୍ରାସ ଘଟିଥିଲା । ବ୍ରେଣ୍ଟ୍ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ୍ ପିଛା ୬୬.୫୨ ଡଲାର ଥିବା ବେଳେ ଡବଲ୍ୟୁଟିଆଇ କ୍ରୁଡ୍ ୬୩.୦୩ ଡଲାର ରହିଛି । ଏହା ପୂର୍ବରୁ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ଡିଜେଲର ଦର ତିନି ଥର ହ୍ରାସ ପାଇଥିଲା। ଅନ୍ତିମ ଥର ପାଇଁ ମାର୍ଚ୍ଚ ୩୦ରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା କମିଥିଲା। ମୋଟ୍ ମାର୍ଚ୍ଚ ମାସରେ ପେଟ୍ରୋଲ ୬୧ ପଇସା ଏବଂ ଡିଜେଲ ୬୦ ପଇସା ହ୍ରାସ ପାଇଥିଲା। ଏହି ସମୟରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ଦାମ ୭୧ ଡଲାରରୁ ଆସି ୬୩ ଡଲାରରେ ପହଞ୍ଚିଥିଲା। ଏବେ କିନ୍ତୁ ଆଉଥରେ ଅଶୋଧିତ ତେଲର ଦାମ ଉପରମୁହାଁ ହୋଇଥିବା ସୂଚନା ରହିଛି। ତେଣୁ ଦର ବଢ଼ିବାର ସମ୍ଭାବନା ରହିଛି। ସୂଚନା ଯେ, ଗତବର୍ଷ ଠିକ୍ ଏହି ସମୟରେ ପେଟ୍ରୋଲ ଦର ୬୯.୫୯ ପଇସା ରହିଥିବା ବେଳେ ଡିଜେଲ ଦର ୬୨.୨୯ ପଇସା ରହିଥିଲା। ଏବେର ଦରକୁ ଯଦି ଗତବର୍ଷର ଦର ସହିତ ତୁଳନା କରିବା ତାହେଲେ ଗୋଟିଏ ବର୍ଷରେ ପେଟ୍ରୋଲ ୨୦.୮୧ ପଇସା ଓ ଡିଜେଲ ୧୮.୪୪ ପଇସା ମହଙ୍ଗା ହୋଇଛି। ସେତେବେଳେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୩୦ ଡଲାର ରହିଥିଲା। ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସରକାର ତେଲରେ ଲଗାଉଥିବା ଏକ୍ସାଇଜ୍ ଡ୍ୟୁଟି ପାଇଁ ଦେଶରେ ତେଲ ଦର ବୃଦ୍ଧି ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ପେଟ୍ରୋଲରୁ ୩୨.୯୦ ପଇସା ଆଦାୟ କରୁଥିବା ବେଳେ ଡିଜେଲ ୩୧.୮୦ ପଇସା ଆଦାୟ କରୁଛନ୍ତି।