ଓଏସଏସସି ସଦସ୍ୟଙ୍କ କୋଟିପତି ପିଏସ୍ ଗିରଫ

- ସାଢ଼େ ୩ କୋଟିରୁ ଅଧିକ ସମ୍ପତ୍ତି ଠାବ
ଭୁବନେଶ୍ୱର : ଶେଷରେ ଗିରଫ ହେଲେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ୱର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ ଟି ଏକ ମହଲା ଘର । ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ ଟି ପ୍ଲଟ୍ । ଗୋଟିଏ କାର୍, ୨ ଟି ବାଇକ୍, ୫୬ ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ତା’ଛଡା ଶ୍ରୀ ସାହୁଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ହେଲେ ବ୍ୟାଙ୍କ୍ ଓ ଲକରରେ ଥିବା ସମ୍ପତ୍ତି ଆକଳନ କରିପାରିନି ଭିଜିଲାନ୍ସ । ଆସନ୍ତା କାଲି ତାଙ୍କ ସମ୍ପତ୍ତି ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି । ସବୁ ଠାରୁ ବଡ଼ କଥା ହେଲା ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତ ଶ୍ରୀ ସାହୁ ରଖିଥିବା ଜଣାପଡିଛି । ଶ୍ରୀ ସାହୁ କରୋନା ମହାମାରୀ ସମୟରେ ୨ ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି । ଏଥି ସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍ ମଧ୍ୟ ଠାବ କରାଯାଇଛି ।
ସୂଚନା ଯେ, ଶୁକ୍ରବାର ବିରଞ୍ଚି ରହୁଥିବା ନୀଳାଦ୍ରିବିହାରସ୍ଥିତ ଦୁଇ ମହଲା କୋଠାରେ ପହଞ୍ଚିଥିଲା ଗୋଟିଏ ଟିମ୍। ସେଠାରେ ଖାନତଲାସି ବେଳେ ଆଲମିରାରୁ ନଗଦ ୧୨ ଲକ୍ଷ ଟଙ୍କା, ଦେଢ଼ କେଜି ସୁନା ଅଳଙ୍କାର, ଭୁବନେଶ୍ବର, ପୁରୀ, ଖୋର୍ଦ୍ଧାରେ ୧୪ଟି ପ୍ଲଟର କାଗଜପତ୍ର ଏବଂ ୫୬ ଲକ୍ଷ ଟଙ୍କାର ଜୀବନ ବୀମାର କାଗଜପତ୍ର ମିଳିଥିଲା। ସେହିପରି ପିଏଫ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ବିରଞ୍ଚିଙ୍କ ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ବିରଞ୍ଚିଙ୍କ ଆଲମିରାରୁ ମିଳିଥିବା ଟଙ୍କା ଭର୍ତ୍ତି ଖାମ୍ ନିକଟରୁ ଓଏସ୍ଏସସି ପରୀକ୍ଷା ଆବେଦନକାରୀଙ୍କ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା। ସେହିପରି ଅନ୍ୟ ଏକ ଟିମ୍ ଓଏସ୍ଏସସି ଅଫିସରେ ଥିବା ବିରଞ୍ଚିଙ୍କ ଚାମ୍ବରରେ ଚଢ଼ଉ କରି ବହୁ କାଗଜପତ୍ର, ଫାଇଲ, କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛି। ଏହି ଚଢ଼ଉରେ ୪ ଜଣ ଡିଏସପି, ୧୩ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ତିନିଟି ଦଳ ସାମିଲ୍ ହୋଇଥିଲେ।