ଆଜିଠୁ ତୃତୀୟ ବର୍ଗଙ୍କ ଟିକାକରଣ ପାଇଁ ଅନଲାଇନ ପଞ୍ଜିକରଣ ବାଧ୍ୟତାମୂଳକ

- ମୋଟ୍ ୨୦ଟି କେନ୍ଦ୍ରରେ ହେବ ଟିକାକରଣ
ଗଞ୍ଜାମ : ସୋମବାର ଠାରୁ ତୃତୀୟ ବର୍ଗଙ୍କ ଟିକାକରଣ ପାଇଁ ଅନଲାଇନରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସହରର ୮ଟି କେନ୍ଦ୍ରରେ ଟିକାକରଣ କରାଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ରହୁଥିବାରୁ ଟିକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଥିବା ୮ଟି କେନ୍ଦ୍ର ସହ ୧୨ ଟି ଅତିରିକ୍ତ ଟିକାଦାନ କେନ୍ଦ୍ର ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ, ସିଟି ହସ୍ପିଟାଲ ସମେତ ମହାନଗର ନିଗମ ଅଧିନରେ ଥିବା ୬ଟି ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ର ଆସିକା ରୋଡ଼, ଆଗା ସାହି, ରେଡ଼କ୍ରସ୍ ହସ୍ପିଟାଲ, ବୈକୁଣ୍ଠ ନଗର, ଗୁଡ଼ସ୍ ସେଡ୍ ରୋଡ଼ ଓ ଖୋଡ଼ାସିଙ୍ଗି ରହିଛି । ଅତିରିକ୍ତ ୧୨ଟି କେନ୍ଦ୍ର ମଧ୍ୟରେ ପୁରୁଣା ବ୍ରହ୍ମପୁର ହାଇସ୍କୁଲ, ଆସିକା ରୋଡ଼ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ୍ ବାଲିକା ଉଚ୍ଚ ବିଦ୍ୟାଳୟ, ବାବାଜି ତୋଟା ସାହି ସ୍ଥିତ କୁଇନ୍ ଅଫ୍ ମିଶନ ହାଇସ୍କୁଲ, ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟ, ଗୋସାଣି ନୂଆଗାଁ କେ.ସି. ହାଇସ୍କୁଲ, ସହିଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ କୋଟପେଟା, ଆଙ୍କୁଲି ହାଇସ୍କୁଲ, ରାମଲିଙ୍ଗେଶ୍ୱର ପାର୍କ ଭଳି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଟୀକାକରଣ କେନ୍ଦ୍ର କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ଥିବା ୮ଟି ଓ ଅତିରିକ୍ତ ୧୨ଟି କେନ୍ଦ୍ରକୁ ମିଶାଇ ମୋଟ୍ ୨୦ଟି କେନ୍ଦ୍ରରେ ପ୍ରାଥମିକ ସ୍ତରରେ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ । ଆବଶ୍ୟକ ହେଲେ ଅଧିକ କେନ୍ଦ୍ର କରିବା ନେଇ ନିଗମ ପକ୍ଷରୁ ଯୋଜନା କରାଯାଇଥିବା ନେଇ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି । ପୂର୍ବରୁ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷର ଯୁବବର୍ଗଙ୍କୁ ଟିକାକରଣ କରାଯିବା ବେଳେ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଅପରାହ୍ନ ୩ଟାରୁ ସଂନ୍ଧ୍ୟା ୬ଟା ମଧ୍ୟରେ ଟୀକାକରଣ କରାଯିବ ବୋଲି ଜଣାପଡିଛି । ନିଗମ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସୋମବାର ପୂର୍ଣ୍ଣାଙ୍ଗ ରିପୋର୍ଟ ହସ୍ତଗତ ହୋଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କମିଶନର କହିଛନ୍ତି ।