ବାସୀ ଖାଦ୍ୟ ଖାଇ ଜଣେ ମୃତ, ୫ ଗୁରୁତର
ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଦଧିବାମନପୁର ଗ୍ରାମରେ ବାସୀଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଲକ୍ଷ୍ମୀମଣୀ ଦାସ (୭୦) । ସେହିପରି ଗୁରୁତରଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
ସୂଚନା ଯେ, କହ୍ନେଇବିନ୍ଧା ପଞ୍ଚାୟତ ଦଧିବାମନପୁର ଅଞ୍ଚଳର ଯୁଦ୍ଧିଷ୍ଟିର ଦାସ(୫୦) ନୂତନ ପକ୍କା ଘର ନିର୍ମାଣ କରିବା ପାଇଁ ଗତ ରବିବାର ଘରର ବୋରିଂ ଖୋଳା ଆରମ୍ଭ କରିଥିଲେ । ଏଥିପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା । ପରେ ବଳକା ଥିବା ଖାଦ୍ୟକୁ ତାପର ଦିନ ପରିବାର ଲୋକେ ଖାଇଥିଲେ । ଗତ ସୋମବାର ସକାଳୁ ପରିବାର ଲୋକଙ୍କୁ ଜଣ ଜଣ କରି ଝାଡ଼ା ଓ ବାନ୍ତି ହେବାକୁ ଲାଗିଲା । ଯୁଦ୍ଧିଷ୍ଟିରଙ୍କ ସମେତ ତାଙ୍କ ପତ୍ନୀ ଭଗବତୀ (୪୫), ମା’ ଲକ୍ଷ୍ମୀମଣୀ (୭୦), ପୁଅ ପ୍ରଦୀପ (୨୪), ଭଉଣୀ ଜୟନ୍ତୀ (୫୦) ଭାଇବୋହୁ ସୁକାନ୍ତି (୪୦) ଓ ପୁତୁରା ମନୋଜ (୧୨) ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀମଣୀଙ୍କର ମୃତ୍ୟୁ ମୃତ୍ୟୁ ଘଟିଥିଲା । ଅନ୍ୟ ୬ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ସମସ୍ତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟପେଟ ଏହି ଖବର ପ୍ରସାରିତ ହେବା ପରେ ସିମୁଳିଆ ମେଡ଼ିକାଲ ଟିମ ଯୁଧିଷ୍ଠିରଙ୍କ ଘରେ ପହଞ୍ôଚ ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।