ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ : ଜୟନ୍ତ ଓ ସାଇନି ଟିମ୍ରେ ସାମିଲ, ସୁନ୍ଦର ବାଦ୍

ମୁମ୍ବାଇ : କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଅଫ୍ସ୍ପିନର୍ ୱାଶିଂଟନ୍ ସୁନ୍ଦରଙ୍କୁ ବୁଧବାର ୩ ମ୍ୟାଚ୍ ବିଶିଷ୍ଟ ଆଗାମୀ ସାଉଥ୍ ଆଫ୍ରିକା ଟୁର୍ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ବଦଳ ଖେଳାଳି ଭାବେ ଟିମ୍ରେ ସାମିଲ କରାଯାଇଛି। ସେହିପରି ପେସର୍ ନବଦୀପ ସାଇନିଙ୍କୁ ମଧ୍ୟ ଆହତ ମହମ୍ମଦ ସିରାଜ୍ଙ୍କ ବ୍ୟାକ୍ଅପ୍ ଭାବେ ଟିମ୍ରେ ସାମିଲ କରାଯାଇଛି। ସିରିଜ୍ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୯ ତାରିଖରେ ଖେଳାଯିବ।
ବିସିସିଆଇର ଏକ ପ୍ରେସ୍ ରିଲିଜ୍ ଅନୁସାରେ, ବେଙ୍ଗାଲୁରୁ ଶିବିରରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଟିମ୍ ଇଣ୍ଡିଆ ଅଫ୍ ସ୍ପିନର୍ ୱାଶିଂଟନ୍ ସୁନ୍ଦରଙ୍କୁ ସାଉଥ୍ ଆଫ୍ରିକା ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ରୁ ବାଦ୍ ଦିଆଯାଇଛି। ସୁନ୍ଦରଙ୍କୁ ବୁଧବାର ଦିନିକିଆ ଟିମ୍ ସଦସ୍ୟଙ୍କ ସହ କେପ୍ଟାଉନ୍ ଯାତ୍ରା କରିବା ସହ ଜାନୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ସିରିଜ୍ ପୂର୍ବରୁ ବାକି ଟିମ୍ରେ ସାମିଲ ହେବାର ଥିଲା। ବିସିସିଆଇ ସିନିୟର୍ ଚୟନ କମିଟି ସୁନ୍ଦରଙ୍କ ବଦଳ ଖେଳାଳି ଭାବେ ଜୟନ୍ତ ଯାଦବଙ୍କୁ ଟିମ୍ରେ ସାମିଲ କରିଛନ୍ତି।’ ଜୟନ୍ତ ଭାରତ ପକ୍ଷରୁ ଏକମାତ୍ର ଦିନିକିଆ ମ୍ୟାଚ୍ ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅବସରରେ ଆହତ ସିରାଜ୍ଙ୍କ ଆଘାତକୁ ଧ୍ୟାନରେ ରଖି ବିସିସିଆଇ ନବଦୀପ ସାଇନିଙ୍କୁ ତାଙ୍କ ବ୍ୟାକ୍ଅପ୍ ଭାବେ ଟୁର୍ରେ ପଠାଇବାକୁ ନିଷ୍ପତ୍ତି ନେଇଛି। ସିରାଜ୍ ଏବେ ହାମ୍ଷ୍ଟ୍ରିଙ୍ଗ୍ ଇନ୍ଜୁରୀରୁ ସୁସ୍ଥ ହେଉଛନ୍ତି।
ଭାରତୀୟ ଦିନିକିଆ ଟିମ୍: କେଏଲ୍ ରାହୁଲ (ଅଧିନାୟକ), ଜସ୍ପ୍ରୀତ୍ ବୁମ୍ରା (ଉପଅଧିନାୟକ), ଶିଖର ଧୱନ୍, ଋତୁରାଜ ଗାଏକ୍ୱାଡ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍, ଭେଙ୍କଟେଶ ଆୟର୍, ଋଷଭ ପନ୍ତ୍ (ୱିକେଟ୍କିପର୍), ଈଶାନ୍ କିଶନ୍ (ୱିକେଟ୍କିପର୍), ୟୁଜବେନ୍ଦ୍ର ଚହଲ, ଆର୍. ଅଶ୍ୱିନ, ଭୁବନେଶ୍ୱର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ୍ ଠାକୁର, ମହମ୍ମଦ ସିରାଜ୍, ଜୟନ୍ତ ଯାଦବ, ନବଦୀପ ସାଇନି।