ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ : ସ୍କୁଲ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି
ଭୁବନେଶ୍ୱର: ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ‘ଓସେପା’ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଡିଇଓ ଓ ଡିପିସି ମାନଙ୍କୁ ଚିଠି ଲେଖି ‘ଓସେପାର’ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ମାର୍ଗଦର୍ଶିକା ଜାରି କରିଛନ୍ତି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ପ୍ରସ୍ତୁତ ରହିବାକୁ ଗାଇଡଲାଇନ୍ରେ ନିର୍ଦ୍ଦେଶ ରହିଛି । ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ଓଆର୍ଏସ୍ ମହଜୁଦ ରଖିବାକୁ କୁହାଯାଇଛି । ସେହିପରି ପିଲାମାନଙ୍କୁ ପାଣି ବୋତଲ ସହ ସ୍କୁଲ ପଠାଇବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି ।
ବର୍ଦ୍ଧିତ ତାମାତ୍ରକୁ ଆଖି ଆଗରେ ରଖି ଓସେପା(ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) ଶିକ୍ଷାନୁଷ୍ଠାନରେ ପିଲାଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକଙ୍କୁ ପିଲାଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଓସେପା ନିର୍ଦ୍ଦେଶକ ଅନୁପମ ଶାହା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମଧ୍ୟ ଗ୍ରୀଷ୍ମ ପ୍ରବାହରେ ସ୍କୁଲଗୁଡ଼ିକର ପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ପିଲାଙ୍କୁ ସାଥିରେ ପାଣି ବୋତଲ ଧରି ଶିକ୍ଷାନୁଷ୍ଠାନ ଆସିବାକୁ ସଚିବ ପରାମର୍ଶ ଦେଇଥିବା ବେଳେ ଅଭିଭାବକ ମାନେ ଏଦିଗରେ ସଚେତନ ହେବାକୁ କହିଛନ୍ତି । ସ୍କୁଲରେ କୌଣସି ପ୍ରକାରର ଆଉଟଡୋର୍ ଖେଳ ଆୟୋଜନ ନକରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ପରିମାଣର ଓଆର୍ଏସ୍ ସଂଗୃହିତ କରି ରଖିବା ଏବଂ ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପଗୁଡ଼ିକର ମରାମତି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।