ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର : ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ । ପେଟ୍ରୋଲ୍ , ଡିଜେଲ୍ , ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇଛନ୍ତି ବାମପନ୍ଥୀ ଦଳ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ ହେବ । କଂଗ୍ରେସ ଓ ଅଖିଳ ଭାରତୀୟ ଛାତ୍ରସଂଘ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ତେବେ ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି । ବନ୍ଦ ପାଳନ ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୃହ ସଚିବ ସନ୍ତୋଷ ବାଲା ଚିଠିରେ ଉଲ୍ଲେଖ କରିଛନ୍ତି । ବନ୍ଦ ପାଳନ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ, ମାର୍କେଟ୍ , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ, କୋର୍ଟ, ପେଟ୍ରୋଲ୍ ପମ୍ପ, ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିପାରେ । ସେହିପରି ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ବନ୍ଦ ପାଳନ ସମୟରେ ଜରୁରୀ କାଳୀନ ବ୍ୟବସ୍ଥା ଜାରି ରହିବ ।
ସୂଚନା ଯେ, ପେଟ୍ରୋଲ ଓ ଡିଜେଲ ଦର ୧୦୦ଟଙ୍କାରେ ପହଞ୍ଚିଥିବା ବେଳେ ରନ୍ଧନ ଗ୍ୟାସ ୪ଶହ ଟଙ୍କାରୁ ୮୫୦ଟଙ୍କାକୁ ବୃଦ୍ଧି ପାଇଛି। ଖାଇବା ତେଲ ଦର ୬ମାସରେ ୪ଥର ବୃଦ୍ଧି ପାଇବା ସହ ୨ଶହ ଟଙ୍କା ଛୁଇଁବାକୁ ବସିଛି। ସେହିପରି ଡାଲି, ଚିନି, ସୁଜି. ଅଟା, ଘିଅ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଉପରେ ଅତ୍ୟଧିକ କରଧାର୍ଯ୍ୟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସିପିଆଇଏମ୍ ପକ୍ଷରୁ କୁହାଯାଇଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁଁ ଦିନମଜୁରିଆ ଶ୍ରମିକଙ୍କ ସମେତ ନିମ୍ନ ମଧ୍ୟବିତ୍ତ ବ୍ୟକ୍ତି ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସରକାରୀ ଚାକିରିଆମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଉଲେଖ କରିଛନ୍ତି। ଓଡ଼ିଶା ବନ୍ଦ ସମୟରେ ଜିଲାର କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ପୁଲିସ ଦଳ ନିୟୋଜିତ କରାଯାଇଛି। ପୁଲିସ ପାଟ୍ରୋଲିଂ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାଛଡା ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ପୁଲିସକୁ ସଜାଗ କରାଯାଇଛି।