ଦେଶରେ ସର୍ବାଧିକ ଚୋରି ଓଡ଼ିଶାରେ : ଏନ୍ସିଆର୍ବି
ଭୁବନେଶ୍ୱର : ଦେଶରେ ସର୍ବାଧିକ ଚୋରି ଓଡ଼ିଶାରେ ହୋଇଛି। ୨୦୨୧ ଏନ୍ସିଆର୍ବି ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରୁ ୮୪୭.୫କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ମହାରାଷ୍ଟ୍ରଠୁ ଆରମ୍ଭ କରି ମଧ୍ୟପ୍ରଦେଶ, ହରିୟାଣା, ଗୁଜରାଟ, ଉତ୍ତରପ୍ରଦେଶ ଭଳି ଜନସଂଖ୍ୟା ବହୁଳ ରାଜ୍ୟକୁ ବି ଓଡ଼ିଶା ଏଥର ଚୋରିରେ ଟପିଛି। ତେବେ ଯେତିକି ପରିମାଣରେ ଚୋରି ହୋଇଛି ତା’ର ମାତ୍ର ୫ପ୍ରତିଶତ ଅର୍ଥାତ୍ ୪୩.୧କୋଟି ଟଙ୍କା ଓଡ଼ିଶା ପୋଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି।
୨୦୧୬ରୁ ୨୦୨୦ ମଧ୍ୟରେ ଅର୍ଥାତ୍ ୫ବର୍ଷରେ ଯେତିକି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା, ତା’ଠୁ ପ୍ରାୟ ୨୧୫କୋଟି ଟଙ୍କାର ଅଧିକ ସମ୍ପତ୍ତି କେବଳ ୨୦୨୧ ଚୋରି ହୋଇଛି। ପ୍ରଥମ ଥର ପାଇଁ ଚୋରି ସମ୍ପତ୍ତି ଉଦ୍ଧାର କ୍ଷେତ୍ରରେ ଶେଷ ସ୍ଥାନରେ ରହିଥିବା ଓଡ଼ିଶା ୨୦୧୯ରେ ୧୪ତମ ସ୍ଥାନରେ ରହିଥିବା ବେଳେ ୨୦୨୦ରେ ୧୭ତମ ସ୍ଥାନରେ ରହିଥିଲା। ଚୋରି ସମ୍ପତ୍ତି ଉଦ୍ଧାରରେ ଉତ୍ତରାଖଣ୍ଡ ୬୮.୭ପ୍ରତିଶତ ସହିତ ତାଲିକାର ଶୀର୍ଷରେ ରହିଛି।
୨୦୨୧ ଏନ୍ସିଆର୍ବି ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ଅବିଶ୍ବସନୀୟ ଭାବେ ଚୋରି ବଢ଼ିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୧ ଦେଶରେ ଥିବା ୮ କେନ୍ଦ୍ରଶାସିତ ଅଞ୍ଚଳରେ ଯେତିକି ଚୋରି ହୋଇଛି, ତା’ଠୁ ୭୦କୋଟି ଟଙ୍କା ଅଧିକ ଚୋରି ହୋଇଛି ଓଡ଼ିଶାରେ। ଦିଲ୍ଲୀ, ଜମ୍ମୁ ଓ କାଶ୍ମୀର, ଲଦାଖ, ଲାକ୍ଷାଦ୍ବୀପ, ପୁଡୁଚେରୀ, ଦାଦ୍ରା ନଗର ହାବେଳି ଏବଂ ଡାମନ ଡିୟୁ, ଆଣ୍ଡାମାନ ନିକୋବର ଓ ଚଣ୍ଡୀଗଡ଼ରୁ ମୋଟ ୭୭୭.୯ କୋଟି ଟଙ୍କା ଚୋରି ହୋଇଥିବା ବେଳେ ୧୦୨.୮କୋଟି ଟଙ୍କା ଉଦ୍ଧାର କରାଯାଇଛି।