ଦ୍ୱିତୀୟ ଥର ପାଇଁ ଜୋକୋଭିକଙ୍କ ଭିସା ରଦ୍ଦ କଲେ ଅଷ୍ଟ୍ରେଲିଆ ସରକାର
ମେଲବର୍ଣ୍ଣ : ଅଷ୍ଟ୍ରେଲିଆ ସରକାର ଟେନିସ୍ ଖେଳାଳି ନୋଭାକ ଜୋକୋଭିକଙ୍କ ଭିସା ଦ୍ୱିତୀୟ ଥର ପାଇଁ ଶୁକ୍ରବାର ରଦ୍ଦ କରିଛନ୍ତି । ବିଶ୍ୱର ଏକ ନମ୍ୱର ଟେନିସ ଖେଳାଳି ଜୋକୋଭିକ କରୋନା ଟିକା ନେଇ ନାହାନ୍ତି ଯାହା ଅନ୍ୟ ଲୋକଙ୍କ ପାଇଁ ବିପଦ ହୋଇପାରେ ଆଶଙ୍କା କରି ତାଙ୍କ ଭିସାକୁ ଦ୍ୱିତୀୟ ଥର ପାଇଁ ରଦ୍ଦ କରାଯାଇଥିବା ଅଷ୍ଟ୍ରେଲିଆର ସରକାର ପକ୍ଷରୁ କୁହାଯାଇଛି ।
ଅଷ୍ଟ୍ରେଲିଆର ନାଗରିକ ମନ୍ତ୍ରୀ ଏଲେକ୍ସ ହାକେ ଅଦାଲତଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନିଜର ଅଧିକାର ବଳରେ ଜୋକୋଭିକଙ୍କ ଭିସା ରଦ୍ଦ କରିଛନ୍ତି । ଏହାପରେ ଦୁନିଆର ଏକ ନମ୍ୱର ଟେନିସ ଖେଳାଳି ଅଷ୍ଟ୍ରେଲିଆ ଛାଡିବାକୁ ବାଧ୍ୟ ହୋଇପାରନ୍ତି । କେବଳ ଏତିକି ନୁହେଁ, ଜୋକୋଭିକଙ୍କ ଗ୍ରାଣ୍ଡସ୍ଲାମ୍ ଖେଳିବା ଉପରେ ତିନି ବର୍ଷ ପ୍ରତିବନ୍ଧକ ଲାଗୁ ହୋଇପାରେ ।ଏହାପୂର୍ବରୁ ଅଷ୍ଟ୍ରେଲିଆର ମନ୍ତ୍ରୀ ଏଲେକ୍ସ ହାକେ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନିଜର ଅଧିକାରରେ ଭିସା ରଦ୍ଦ କରିବା କଥା କହିଥିଲେ ଏବଂ ଏହା କରିଦେଖାଇଲେ । ଅଷ୍ଟ୍ରେଲିଆ ଓପନ ଆରମ୍ଭର ତିନି ଦିନ ପୂର୍ବରୁ ଜନହିତକୁ ଆଧାର କରି ଭିସା ରଦ୍ଦ କରିବା ପାଇଁ ହାକେ ନିଜର ଅଧିକାର ବ୍ୟବହାର କରିଛନ୍ତି । ଇମିଗ୍ରେସନ ଆକ୍ଟର ଧାରା ୧୩୩C(୩) ଆଧାରରେ ଜୋକୋଭିକଙ୍କ ଭିସା ରଦ୍ଦ କରାଯାଇଛି । ଏହି ନିୟମ ଅନୁଯାୟୀ, ତିନି ବର୍ଷ ଯାଏଁ ଜୋକୋଭିକଙ୍କ ଅଷ୍ଟ୍ରେଲିଆ ଗସ୍ତ ଉପରେ ପ୍ରତିବନ୍ଧକ ଲାଗୁ ହୋଇପାରେ ।
ତେବେ ବର୍ତ୍ତମାନ ଜୋକୋଭିକ ଏହା ବିରୁଦ୍ଧରେ ଫେଡେରାଲ ସର୍କିଟ ଏବଂ ଫ୍ୟାମିଲି କୋର୍ଟରେ ଏହି ନିର୍ବାସନକୁ ରଦ୍ଦ କରିବା ପାଇଁ ଅପିଲ କରିପାରନ୍ତି । ପ୍ରଥମଥର ଭିସା ରଦ୍ଦ ସମୟରେ ମଧ୍ୟ ଜୋକୋଭିକ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଏବଂ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । କରୋନା ନିୟମର ଅନୁପାଳନ ନ କରିବା ସହ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ନ ଦେଖାଇବା ଅଭିଯୋଗରେ ପୂର୍ବରୁ ଜୋକୋଭିକ ଚାରି ଦିନ ଡିଟେନସନ୍ ସେଣ୍ଟରରେ ରାତ୍ରୀ ବିତାଇ ସାରିଛନ୍ତି । ଡିଫେଣ୍ଡିଂ ଚାମ୍ପିୟନ ଏବଂ ୯ ଥର ବିଜେତା ଜୋକୋଭିକ୍ ଅଷ୍ଟ୍ରେଲିଆ ଓପନରେ ଭାଗ ନେବା ପାଇଁ ଗତ ସପ୍ତାହରେ ମେଲବର୍ଣ୍ଣ ପହଞ୍ଚିଥିଲେ । ସର୍ବିଆର ଏହି ଖେଳାଳି କରୋନା ନିୟମର ଉଲ୍ଲଂଘନ କରି ଅଷ୍ଟ୍ରେଲିଆରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାସହ ନିଜ ଯାତ୍ରା ସମ୍ପର୍କରେ ମଧ୍ୟ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।