ସତର୍କ ନହେବାରୁ ସଂକ୍ରମଣ ବଢୁଛି : ଆରଏମଆରସି ନିର୍ଦ୍ଦେଶିକା
ଭୁବନେଶ୍ୱର : ଭୂତାଣୁର ରୂପରେ ଭିନ୍ନତା କାରଣରୁ କୋଭିଡ୍ ଦ୍ୱିତୀୟ ଲହରି ଅବଧିରେ ସଂକ୍ରମଣର ହାର ବୃଦ୍ଧି ପାଇଛି । ଅଧିକାଂଶ ସମୟରେ ଦେଖାଯାଇଛି ଗୋଟିଏ ମହାମାରୀର ପ୍ରଥମ ଲହର ଅପେକ୍ଷା ୨ୟ ଲହରର ବେଗ ଅଧିକ ଥାଏ । ଲୋକଙ୍କ ସତର୍କତା କମିବା ମଧ୍ୟ ସଂକ୍ରମଣ ବଢିବାର କାରଣ । କିନ୍ତୁ ଆମେ ପୂର୍ବ ଭଳି ସତର୍କ ରହିଲେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବ । କୋଭିଡ୍ ନିୟମାବଳୀ ପାଳନ କରିବାରେ କୌଣସି ପ୍ରକାର ଉଦାସୀନତା ଅବଲମ୍ବନ କରିବା ଉଚିତ ନୁହେଁ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି)ର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି କହିଛନ୍ତି ।
ବୁଧବାର ଦିନ କୋଭିଡ୍ ସଂପର୍କରେ ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖି ଡ.ପତି କହିଛନ୍ତି ଯଦି କେହି କୋଭିଡ୍ ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ସେ ସେହିଦିନ ନିଜର ପରୀକ୍ଷଣ କରାଇବା ନିହାତି ଜୁରୁରୀ । ଅନ୍ୟ ପକ୍ଷରେ ଯଦି ତାଙ୍କର ଲକ୍ଷଣ ପ୍ରକାଶ ପାଇ ନଥାଏ ତେବେ ସେ ୩ରୁ ୫ ଦିନ ମଧ୍ୟରେ ପରୀକ୍ଷା କରାଇବା ଦରକାର । କୋଭିଡ୍ ପରୀକ୍ଷଣ ଫଳାଫଳ ନପାଇବା ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତି ନିଜେ ପୃଥକବାସରେ ରହିବା, ମାସ୍କ ପିନ୍ଧିବା ଓ କୋଭିଡ୍ ନିୟମାବଳୀ ଅନୁପାଳନ କରିବା ଆବଶ୍ୟକ । କୋଭିଡ୍ ଟିକାର ଦୁଇଟି ଯାକ ମାତ୍ରା ଗ୍ରହଣ କରିଥିବା ଲୋକମାନେ ମଧ୍ୟ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହିତ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ କରିବା ଜରୁରୀ ।