ରଙ୍ଗ ଲାଗିଥିବା ନୋଟ୍ ନେବାକୁ କେହି ମନା କରିପାରିବେ ନାହିଁ : ଆରବିଆଇ
ନୂଆଦିଲ୍ଲୀ : ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଅନେକ ଥର, ହୋଲି ଖେଳିବାବେଳେ ଲୋକମାନେ ନିଜ ପକେଟରେ ରଖିଥିବା ଟଙ୍କା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏପରି ପରିସ୍ଥିତିରେ ରଙ୍ଗ ଖେଳିବାବେଳେ ପକେଟରେ ରଖାଯାଇଥିବା ନୋଟଗୁଡ଼ିକ ରଙ୍ଗୀନ ହୋଇଯାଏ । ଏହା ପରେ ଅନ୍ୟ ବ୍ୟବସାୟୀ ଏପରି ନୋଟ୍ ଗ୍ରହଣ କରିବାକୁ ମନା କରିଥାନ୍ତି। ତେବେ ହୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରଙ୍ଗ ହୋଇଥିବା ନୋଟକୁ ନେଇ ଅପଡେଟ୍ ଜାରି କରିଛି।
ଆରବିଆଇର ନିୟମ ଅନୁସାରେ କେହି ରଙ୍ଗ ଲାଗିଥିବା ନୋଟ୍ ଗୁଡିକୁ ନେବାକୁ ମନା କରିପାରିବେ ନାହିଁ। କୌଣସି କାରଣରୁ ନୋଟ୍ ଚିରି ଗଲେ ଏହା ଚିନ୍ତାର ବିଷୟ ହୋଇଥାଏ। କିନ୍ତୁ ଏନେଇ ଆରବିଆଇ କହିଛି ଦେଶର ସମସ୍ତ ବ୍ୟାଙ୍କରେ ଚିରାଫଟା ଏବଂ ପୁରୁଣା ରଙ୍ଗ ଲଗା ନୋଟ୍ ବିନିମୟ ହୋଇପାରିବ। ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ତେବେ ଚିରା ନୋଟ୍ ର ଅବସ୍ଥା ଉପରେ ନିର୍ଭର କରି ଏହକକୁ ବଦଳ କରୁଥିବା ବ୍ୟାଙ୍କ ଟଙ୍କା ଫେରସ୍ତ କରିବେ।
ଉଦାହରଣ ସ୍ବରୂପ ଯଦି ୨୦୦ ଟଙ୍କିଆ ନୋଟ୍ ଚିରି ଯାଇଛି ଏବଂ ଏହାର ୭୮ ବର୍ଗ ସେଣ୍ଟିମିଟର ଠିକ୍ ରହିଛି ତେବେ ବ୍ୟାଙ୍କ ପୁରା ଟଙ୍କା ଦେବେ। କିନ୍ତୁ ଯଦି ନୋଟ୍ ର ୩୯ ବର୍ଗ ସେଣ୍ଟିମିଟର ଭଲ ଅଛି ତେବେ କେବଳ ଅଧା ଟଙ୍କା ଅର୍ଥାତ୍ ୧୦୦ ଟଙ୍କା ଫେରସ୍ତ ଦିଆଯିବ । ଏହି ହିସାବ ଅନ୍ୟ ସବୁ ନୋଟ୍ ର ମୂଲ୍ୟ ଆଧାରରେ ମଧ୍ୟ ଲାଗୁ ହୋଇ ବଳକା ଟଙ୍କା ଫେରସ୍ତ କରାଯିବ ।