ଆଜିଠୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତତ୍ତର ରହିବ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଚାଲିଛି। କୋଭିଡ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିଠୁ ରାଜ୍ୟର ୧୦ଟି ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ରାତି ୧୦ଟା ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗିବ। ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି। ଫଳରେ ସୀମାନ୍ତବର୍ତ୍ତୀ ଜିଲା ଗୁଡିକରେ ‘ନାଇଟ କର୍ଫ୍ୟୁ’ ଲାଗୁ ପାଇଁ ପଦକ୍ଷେପ ନିଆଯାଇଛି । ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଆଜିଠୁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏ ସବୁ ଜିଲ୍ଲାରେ ରାତି ୧୦ଟାରୁ ସକାଳ ୫ଟା ଯାଏ କଟକଣା ରହିବ । ସେହିପରି ଝାରସୁଗୁଡା ଜିଲ୍ଲାର ୧୨ ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏହି ଜିଲ୍ଲା ଗୁଡିକର ସଂକ୍ରମଣକୁ ରୋକିବା ପାଇଁ ଏବଂ ସଂକ୍ରମଣର ପ୍ରକୃତ ଷ୍ଟ୍ରେନ୍ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଜିଲ୍ଲାରେ ସମସ୍ତ କରୋନା କଟକଣା କଡାକଡି ପାଳନ କରିବାକୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନାଇଟ୍ କର୍ଫ୍ୟୁ ସମୟରେ ସାଧାରଣରେ ବୁଲାବୁଲି ଏବଂ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରହିବ। ତେବେ ଏହି ସମୟରେ ଜରୁରୀକାଳୀନ ସେବା ସହ ହୋମ୍ ଡେଲିଭରି ଚାଲୁ ରହିବ । ଏହି ସମୟରେ ମେଡିକାଲ କିମ୍ବା ଅନ୍ୟ ଏମରଜେନସିରେ ଲୋକେ ଯାତାୟତ କରିପାରିବେ । ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ସ୍ବାସ୍ଥ୍ୟସେବା, ଆମ୍ବଲାନ୍ସ ସେବା ଜାରି ରହିବ । ବିଦ୍ୟୁତ୍ , ଅଗ୍ନିଶମ , ଟେଲିକମ୍ , ଜଳ ଯୋଗାଣ , ରେଲୱେ ଓ ଏୟାରପୋର୍ଟ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଶିଳ୍ପ ପ୍ରତିଷ୍ଠାନ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।