ଡିସେମ୍ବର ପହିଲାରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ୍କୁ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ ଜାରି କରିଛି। ଏହି ନୂଆ ନିୟମ ଡିସେମ୍ବର ପହିଲାରୁ ଲାଗୁ ହେବ। ଏହା ସହ ସମସ୍ତ ବିଦେଶ ଫେରନ୍ତା ୧୪ ଦିନର ଯାତ୍ରା ବିବରଣୀ ସହ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦାଖଲ କରିବେ।
ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ, ସଂକ୍ରମିତ ଦେଶରୁ ଫେରୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ଏୟାରପୋର୍ଟରେ ହିଁ କରାଯିବ। ସେଠାରେ ସେମାନେ ରିପୋର୍ଟର ଅପେକ୍ଷା କରିବେ। ଯଦି ରିପୋର୍ଟ ନେଗେଟିଭ୍ ଆସିଲା ତେବେ ସେମାନେ ଘରେ ୭ ଦିନ ସଙ୍ଗରୋଧରେ ରହିବେ। ଅଷ୍ଟମ ଦିନରେ ଦ୍ବିତୀୟ ଥର କରୋନା ପରୀକ୍ଷା କରାଯିବ। ଏଥର ପୁଣି ଥରେ ନେଗେଟିଭ୍ ରିପୋର୍ଟ ଆସିଲେ ଆଗାମୀ ୭ ଦିନ ଯାଏଁ ତାଙ୍କୁ ସଚେତନା ରହିବାକୁ କୁହାଯିବ। କେନ୍ଦ୍ର ସରକାର, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ସମେତ ବ୍ରାଜିଲ୍, ବାଂଲାଦେଶ, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର, ହଙ୍ଗକଙ୍ଗ ଏବଂ ଇସ୍ରାଏଲକୁ ପ୍ରଭାବିତ ଦେଶ ତାଲିକାରେ ସାମିଲ କରିଛନ୍ତି। ଏହି ସବୁ ଦେଶରେ ଓମିକ୍ରୋନ୍ ସଂକ୍ରମଣ ମାମଲା ମିଳିସାରିଛି। ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବା ସହ ତାଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବ।