ଅଭିନେତ୍ରୀ ତଥା ସମାଜସେବା ଓ ଲେଖାଲେଖି ପାଇଁ ପରିଚିତ ନନ୍ଦିତା ଦାସ
ନନ୍ଦିତା ଦାସ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ହେବା ସହିତ ନିଜ ସମାଜସେବା ଓ ଲେଖାଲେଖି ପାଇଁ ମଧ୍ୟ ପରିଚିତ । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏ କି “ଇଣ୍ଟରନ୍ୟାସନାଲ ଓମେନ୍ସ ଫୋରମ”ର ହଲ ଅଫ ଫେମରେ ସ୍ଥାନ ପାଇଥିଲେ । ସେ ଏକଧାରାରେ ଜଣେ ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ସାମାଜିକ କର୍ମୀ ଭାବରେ ନନ୍ଦିତା ଶତାଧିକ ଭାରତୀୟ ମହିଳାଙ୍କର ଆଦର୍ଶ ।
ନନ୍ଦିତା ମିରାଣ୍ଡା ହାଉସ୍ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୧୦ରୁ ଅଧିକ ଭାଷାରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ନନ୍ଦିତା ଦୁଇ ଥର କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଯୋଗ ଦେଇଛନ୍ତି । ଥିଏଟରରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିବା ନନ୍ଦିତା ଦୀପା ମେହେଟ୍ଟା, ଅଦୂର ଗୋପାଳକ୍ରିଷ୍ଣା, ମଣିରତ୍ନମ ଏବଂ ମୃଣାଳ ସେନ୍ଙ୍କ ପରି ଖ୍ୟାତନାମା ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି । ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ବିଶ୍ବପ୍ରକାଶରେ ମଧ୍ୟ ନନ୍ଦିତା ନଜର ଆସିଥିଲେ । ୨୦୦୮ରେ ନିଜର ପ୍ରଥମ ଫିଲ୍ମ ଫିରାକ୍ର ନିର୍ଦ୍ଦେଶନା ଦେଇଥିବା ନନ୍ଦିତା ୨୦୧୮ ରେ ମଣ୍ଟୋର ନିର୍ଦ୍ଦେଶନା ଦେଇଥିଲେ ।
କେବଳ ଫିଲ୍ମନିର୍ମାଣ ବା ଅଭିନୟ ନୁହେଁ ନନ୍ଦିତା ସାମାଜିକ କର୍ମୀ ଭାବରେ ବହୁତ ସକ୍ରିୟ । ଚିଲ୍ଡ୍ରେନ୍ସ ରାଇଟ୍ସ,, ଏଚ୍ଆଇଭି ଏଡ୍ସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୦୯ରେ ବର୍ଣ୍ଣବୈଷମ୍ୟ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ନନ୍ଦିତା । ଦାସ ଡାର୍କ ଇଜ୍ ବ୍ୟୁଟିଫୁଲ୍ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିଭିନ୍ନ ଟକ୍ ଶୋରେ ନନ୍ଦିତା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଯୁବ ପିଢିଙ୍କୁ ଉତ୍ସାହିତ କରିଥାନ୍ତି ।
ବ୍ୟକ୍ତିଗତ ଜୀବନ :
ପିତା ଚିତ୍ରକର ଯତୀନ ଦାସ ଓ ମାତା ଲେଖିକା ବର୍ଷା ଦାସଙ୍କ ଝିଅ ନନ୍ଦିତା, ୧୯୬୯ ମସିହା ନଭେମ୍ବର ୭ ତାରିଖରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଦିଲ୍ଲୀକୁ ଚାଲିଆସିଥିଲେ । ସେଠାରେ, ସେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ ଓ ମିରନ୍ଦା ହାଉସରେ ପାଠ ପଢ଼ିଥିଲେ । ସେ ଭୂଗୋଳରେ ସ୍ନାତକ ଓ ସମାଜସେବାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ନନ୍ଦିତା ୨୦୦୨ରେ ସୌମ୍ୟ ସେନଙ୍କୁ ବିବାହ କରିଥିଲେ ଓ ୨୦୦୯ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ୨୦୧୦ ମସିହାରେ ସେ ମୁମ୍ବାଇର ଉଦ୍ୟୋଗପତି ସୁବୋଧ ମସ୍କୋରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଅଛି । ୨୦୧୭ରେ ସୁବୋଧଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।
ବୃତ୍ତିଗତ ଜୀବନ :
ଜନନାଟ୍ୟ ମଞ୍ଚରୁ, ନନ୍ଦିତା ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସମେତ ଦଶଟି ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୧୯୯୮ ମସିହାର ଚଳଚ୍ଚିତ୍ର ଆର୍ଥ ପାଇଁ, ସେ ଫିଲ୍ମଫେୟାର “ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର” ଲାଭ କରିଥିଲେ । ଏହ ପରେ, ସେ ପ୍ରାୟ ୩୦ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ୨୦୦୮ ମସିହାରେ ପ୍ରସ୍ତୁତ ଚଳଚ୍ଚିତ୍ର “ଫିରାକ”ଦ୍ୱାରା ସେ ନିର୍ଦ୍ଦେଶନାରେ ପାଦ ଦେଇଛନ୍ତି । ଏହି ଚଳଚ୍ଚିତ୍ରକୁ ମଧ୍ୟ ଫିଲ୍ମଫେୟାର ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା । ୨୦୦୯ ମସିହାରେ, ସେ “ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି”ର ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ ।
ଚଳଚ୍ଚିତ୍ରରେ ଅବଦାନ (ଅଭିନୟ) :
ଆଇ ଆମ (୨୦୧୧: ଇଂରାଜୀ, ହିନ୍ଦୀ, ବଙ୍ଗଳା)
ରାମଚନ୍ଦ ପାକିସ୍ତାନୀ (୨୦୦୮: ଉର୍ଦ୍ଦୁ)
ବିଫୋର ଦି ରେନସ (୨୦୦୮: ଇଂରାଜୀ, ମାଲାୟଲମ)
ବିଶ୍ୱପ୍ରକାଶ (୧୯୯୯: ଓଡ଼ିଆ)
ଆର୍ଥ (୧୯୯୮: ହିନ୍ଦୀ)
ଫାୟାର(୧୯୯୬: ହିନ୍ଦୀ)
ପରିଣତି (୧୯୮୯: ଓଡ଼ିଆ)
ନିର୍ଦ୍ଦେଶନା :
ଫିରାକ (୨୨୦୮: ହିନ୍ଦୀ, ଉର୍ଦ୍ଦୁ, ଗୁଜରାଟୀ)
ପୁରସ୍କାର ଓ ସମ୍ମାନ :
ଫିଲ୍ମଫେୟାର ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର (ଆର୍ଥ) – ୨୦୦୦
ଇଣ୍ଟରନ୍ୟାସନାଲ ଓମେନ୍ସ ଫୋରମର ହଲ ଅଫ ଫେମରେ ସ୍ଥାନ