କୋଭିଡ୍ ପରିସ୍ଥିତିକୁ ଦେଖି ସପ୍ତାହେ ପାଇଁ ଘୁଞ୍ଚିଲା ଫ୍ରେଞ୍ଚ୍ ଓପନ
ପ୍ୟାରିସ୍ : ସାରା ବିଶ୍ୱରେ ଏବେ ମହାମାରୀ କରୋନା ମୁଣ୍ଡ ଟେକିଛି । ଏହାକୁ ନେଇ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଫ୍ରେଞ୍ଚ୍ ଓପନ ଟେନିସର ଆୟୋଜନ ଗୋଟିଏ ସପ୍ତାହ ପାଇଁ ଘୁଂଚିଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ ୨୩ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ ମେ ୩୦ରୁ ଆରମ୍ଭ ହୋଇ ଜୁନ ୧୩ ଯାଏଁ ଖେଳାଯିବ । କୋଭିଡ୍ ପ୍ରଭାବକୁ ଏବଂ ଯେପରି ଅଧିକରୁ ଅଧିକ ଦର୍ଶକ ଏହାକୁ ଦେଖିପାରିବେ ସେନେଇ ଫ୍ରାନ୍ସ ସରକାର ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
ଫ୍ରାନ୍ସ କ୍ରୀଡାମନ୍ତ୍ରୀ ରୋକ୍ସନା ମାରାସିନିୟୁ କରୋନା ଭାଇରସ ମାମଲା ବୃଦ୍ଧି ପାଉଥିବାରୁ ଏହି ଟୁର୍ଣ୍ଣାମେଣ୍ଟକୁ କିଛି ଦିନ ଯାଏଁ ସ୍ଥଗିତ ରଖିବାକୁ କହିଥିଲେ । ଏହାପରେ ଦେଶର ଟେନିସ୍ ଖେଳାଳି ଏଲିଜ୍ କାଣ୍ଟେଟ୍ ଫ୍ରାନ୍ସ କ୍ରୀଡାମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଥିଲେ । ଏନେଇ କାଣ୍ଟେଟ୍ କହିଥିଲେ ଯେ, ଏହା ତାଙ୍କର ଆଭ୍ୟନ୍ତରୀଣ ମାମଲା । କିନ୍ତୁ କ୍ରୀଡାମନ୍ତ୍ରୀ ନିଜେ ଏକ ବିପଦ ସହ ସମାନ । ତାଙ୍କୁ କହିବାକୁ ଆଉ କିଛି ବାକି ନାହିଁ । ସେ ଖେଳ ବାବଦରେ ଭୁଲ ନିଷ୍ପତ୍ତି ନିଅନ୍ତି । ଏହା ପଛରେ ସରକାରଙ୍କ ସହମତି ମଧ୍ୟ ରହିଛି । ଗୋଟିଏ ସପ୍ତାହ ପାଇଁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଲେ ଅଧିକରୁ ଅଧିକ ଦର୍ଶକ ଆସିବେ ବୋଲି କୁହାଯାଉଛି । ଏହାସତ୍ତ୍ୱେ ଏହି ନିଷ୍ପତ୍ତି ବ୍ୟକ୍ତିଗତ ସ୍ୱାର୍ଥ୍ୟ ଦୃଷ୍ଟିରୁ ନିଆଯାଇଛି । ଏପରି କରିବା ଦ୍ୱାରା କ୍ୟାଲେଣ୍ଡର ବର୍ଷ ପ୍ରଭାବିତ ହେବ । ସୂଚନା ଯେ, ଗତବର୍ଷ କରୋନା ଭାଇରସ କାରଣରୁ ଫ୍ରେଞ୍ଚ୍ ଓପନ୍ ୪ ମାସ ବିଳମ୍ବରେ ଆୟୋଜିତ ହୋଇଥିଲା । ସେତେବେଳେ ମେ-ଜୁନ ବଦଳରେ ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-ଅକ୍ଟୋବରରେ ଆୟୋଜିତ ହୋଇଥିଲା । ଏହି ସମୟରେ ପ୍ରତିଦିନ କେବଳ ଏକ ହଜାର ଦର୍ଶକଙ୍କୁ ଅନୁମଚି ଦିଆଯାଇଥିଲା ।