ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ୧୦୦ କୋଟି ଟଙ୍କା ସହାୟତା ଦେବ ମେନକାଇଣ୍ଡ ଫାର୍ମା

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହରରେ ଦେଶରେ ସ୍ଥିତି ସଙ୍ଗୀନ । ଏମିତି ପରିସ୍ଥିତି ମୁକାବିଲା ପାଇଁ ଅନେକ ବ୍ୟକ୍ତି ବିଶେଷ ସହିତ ସଂସ୍ଥା ମଧ୍ୟ ଆଗେଇ ଆସୁଛନ୍ତି। ଏହା ମଧ୍ୟରେ ଔଷଧ କମ୍ପାନୀ ମେନକାଇଣ୍ଡ ଫାର୍ମା କରୋନାରେ ପ୍ରାଣ ହରାଇଥିବା ଆଗ ଧାଡିର କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ୧୦୦ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, କରୋନା ଲଢେଇରେ ମୃତ୍ୟୁ ଘଟିଥିବା ଡାକ୍ତର, ପୋଲିସ ଅଧିକାରୀ, ଫାର୍ମାସିଷ୍ଟ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କ ପରିବାରଙ୍କୁ ଏହି ୧୦୦ କୋଟି ଟଙ୍କା ସହାୟତା ଦିଆଯିବ। କମ୍ପାନୀ ତତ୍କାଳ ପ୍ରଭାବରୁ ମୃତକ କୋଭିଡ୍ ଯୋଦ୍ଧାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦେବା ଆରମ୍ଭ କରି ଦେଇଛି। ଆଗାମୀ ତିନି ମାସରେ ଏହି ଅଭିଯାନ ସମାପ୍ତ କରିବାକୁ ଆଶା ରଖିଥିବା ନିଜର ପ୍ରେସ ବିଜ୍ଞପ୍ତିରେ କହିଛି କମ୍ପାନୀ।
କମ୍ପାନୀ କହିଛି ଯେ, କରୋନାର ଦ୍ଵିତୀୟ ଲହରରେ ଦେଶରେ ଉଦବେଗଜନକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସ୍ଵାସ୍ଥ୍ୟକର୍ମୀ ଏବଂ ଆଗଧାଡିର ଯୋଦ୍ଧା ଅହୋରାତ୍ର ଲାଗି ପଡିଛନ୍ତି। ଏହି ସମୟରେ ଅନେକ ସମର୍ପିତ ଯୋଦ୍ଧା ନିଜର ପ୍ରାଣ ହରାଇଛନ୍ତି। ଏକ ଦାୟିତ୍ଵସଂପନ୍ନ ସଂସ୍ଥା ଭାବେ ମେନକାଇଣ୍ଡ ସେହି ମୃତକ ଯୋଦ୍ଧାଙ୍କ ପରିଜନ ସହ ଛିଡା ହୋଇଛି। ସେମାନଙ୍କୁ ୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି କମ୍ପାନୀ କହିଛି। ମେନକାଇଣ୍ଡ ଫାର୍ମାର ପରିଚାଳକ ନିର୍ଦ୍ଦେଶକ ତଥା ଉପାଧ୍ୟକ୍ଷ ରାଜୀବ ଜୁନେଜା କହିଛନ୍ତି ଯେ, କରୋନା ମୁକାବିଲାରେ ଆଗ ଧାଡିରେ ରହୁଥିବା ଯୋଦ୍ଧାମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି। ମହାମାରୀର ମୁକାବିଲା ଏବଂ ନିୟନ୍ତ୍ରଣ ସମୟରେ ଅନେକ ଯୋଦ୍ଧା ନିଜର ପ୍ରାଣ ହରାଇଛନ୍ତି। ତେଣୁ ଏମିତି ସ୍ଥିତିରେ ଆମେ ସେମାନଙ୍କ ପରିଜନଙ୍କୁ ୧୦୦ କୋଟିର ସହାୟତା ଦେଇ ନିଜ କର୍ତ୍ତବ୍ୟ ପାଳନ କରିବୁ ବୋଲି ଏମଡି କହିଛନ୍ତି।