ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ପରେ ମେଡିକାଲ ନାମଲେଖା ଆରମ୍ଭ
ଭୁବନେଶ୍ବର : ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ପରେ ମେଡିକାଲ ନାମଲେଖା ଆରମ୍ଭ ହେଉଛି। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ତପ୍ତରତା ଦେଖିବାକୁ ମିଳିଛି। ନ୍ୟାସନାଲ ଏଜିଲିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍ )- ସ୍ନାତକ(ୟୁଜି) ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ବିତିଗଲା ପରେ ବୁଧବାର ଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
ନଭେମ୍ବର ୧ରେ ପ୍ରକାଶ ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ନଭେମ୍ବର ୨୯ରେ ଓଜେଇଇ ରାଜ୍ୟର ପିଲାଙ୍କ କାଉନ୍ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ଏହାକୁ ସ୍ଥଗିତ ରଖିଥିଲା। ପରବର୍ତ୍ତୀ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ସେ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇନଥିଲା। ନିଟ୍ ପରୀକ୍ଷାକୁ ନେଇ ଅଦାଲତରେ ଦୁଇଟି ମାମଲାର ଶୁଣାଣି ବାକି ଥିବାରୁ କାଉନ୍ସିଲ ପ୍ରକ୍ରିୟା ବା ନାମଲେଖା ପାଇଁ ପଞ୍ଜିକରଣ ଆରମ୍ଭ ହୋଇପାରୁନଥିଲା। ଆଉ ସୁପ୍ରିମକୋର୍ଟଙ୍କ ନର୍ଦ୍ଦେଶ ପରେ ଏଥିରେ ଗତି ମିଳିଛି।ନିଟ୍ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ବୁଧବାରଠାରୁ ନାମଲେଖା ପାଇଁ ଆବେଦନ କରିପାରିବେ। ଜାନୁଆରୀ ୧୨ ତାରିଖ ପୂର୍ବାହ୍ନ ୧୨ଟାରୁ ୧୮ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଅନ୍ଲାଇନ୍ ଆବେଦନ, ଫି’ ଦାଖଲ, ଅନ୍ଲାଇନ୍ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିପାରିବେ। ୨୪ ତାରିଖ ସନ୍ଧ୍ୟା ୫ଟାରେ ପ୍ରୋଭିଜନାଲ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ। ତାଲିକାକୁ ନେଇ ପ୍ରାର୍ଥୀଙ୍କର ଯଦି କୌଣସି ଆପତ୍ତି ଥାଏ ତେବେ ସେମାନେ ୨୫ ଓ ୨୬ ତାରିଖରେ ଜଣାଇବେ।
ସେହିପରି ଜାନୁଆରୀ ୨୭ ତାରିଖରେ ପଞ୍ଜିକୃତ ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ। ଆଲଟ୍ମେଣ୍ଟ ଅଫ୍ ସିଟ୍, ଚଏସ୍ ଫିଲିଂ ଆଦି ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଅଧିକ ତଥ୍ୟ ଲାଗି ଛାତ୍ରଛାତ୍ରୀ www.ojee.nic.in, www.odishajee.com ନିୟମିତ ଦେଖିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି। ଗତ ବର୍ଷ ରାଜ୍ୟର ୭ଟି ସରକାରୀ ଓ ୨ଟି ଘରୋଇ ମେଡିକାଲ କଲେଜର ୧୩୫୦ ମେଡିକାଲ ସିଟରେ ନାମଲେଖା ହୋଇଥିଲା। ଚଳିତ ବର୍ଷ ଆଉ ଏକ ନୂଆ ମେଡିକାଲ କଲେଜର ୧୦୦ଟି ସିଟ ଯୋଡିହୋଇଛି। ତେଣୁ ଏହି ମେଜିକାଲ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ହୋଇପାରେ। ମେଡିକାଲ ନାମଲେଖା ପାଇଁ ଏଥର ୧୭୦୦୦ ଛାତ୍ରଛାତ୍ରୀ ନିଟ୍ କ୍ବାଲିଫାଏ କରିଛନ୍ତି।