ନୂତନ ସଂସଦ ଭବନରେ ବିଶାଳ ଅଶୋକ ସ୍ତମ୍ଭର ଉନ୍ମୋଚନ
ନୂଆଦିଲ୍ଲୀ : ଆଜି ନିର୍ମାଣଧୀନ ନୂତନ ସଂସଦ ଭବନର ଛାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍କେତ ବିଶାଳ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତଳରେ ନିର୍ମିତ ହୋଇଥିବା ବେଳେ ଏହାର ଉଚ୍ଚତା ୬.୫ ମିଟର । ଏହାପରେ ପ୍ରଧାନମନ୍ତ୍ରୀ ଏହାକୁ ସଠିକ ସମୟରେ ତିଆରି କରିଥିବା ଶ୍ରମିକଙ୍କ ସହ କଥା ହୋଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ କଥା ହୋଇଥିଲେ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ମଧ୍ୟ ଉପସ୍ଥିତ ଥିଲେ ।
ନୂତନ ସଂସଦ ଗୃହର ଛାତ ଉପରେ ଏହି ଜାତୀୟ ସଙ୍କେତର ସ୍ଥାପନ କାର୍ୟ୍ୟ ଆଠଟି ଭିନ୍ନ ପର୍ୟ୍ୟାୟରେ ଶେଷ ହୋଇଥିଲା । ଏହା ମାଟି ମଡେଲ ତିଆରି ଠାରୁ ଆରମ୍ଭ କରି କମ୍ପ୍ୟୁଟର ଗ୍ରାଫିକ୍ସ ପ୍ରସ୍ତୁତି ଏବଂ ପିତଳ ଚିତ୍ରଗୁଡ଼ିକର ପଲିସିଂ ପର୍ୟ୍ୟନ୍ତ ସାମିଲ ରହିଛି । ଏହି ଅବସରରେ ଲୋକସଭା ବାଚସ୍ପତି କହିଛନ୍ତି, ଅକ୍ଟୋବର-ନଭେମ୍ବର ୨୦୨୨ ସୁଦ୍ଧା ନୂତନ ସଂସଦ ଗୃହ ଠିକ୍ ସମୟରେ ଶେଷ ହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଚଳିତ ବର୍ଷ ନୂତନ ସଂସଦ ଭବନରେ ଶୀତ ଅଧିବେଶନ ଆୟୋଜନ କରିବାକୁ ଚେଷ୍ଟା କରିବୁ । ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି । ନିର୍ମାଣ ସମୟସୀମା ମଧ୍ୟରେ କେବଳ ସାତ ଦିନର ବ୍ୟବଧାନ ଅଛି, କାର୍ଯ୍ୟ ଶେଷ ହେବ ବୋଲି ଆଶାବାଦୀ ଅଛୁ । ପ୍ରକଳ୍ପ ଶେଷ ହେବା ପାଇଁ ଆମେ ଅକ୍ଟୋବର-ନଭେମ୍ବରର ଏକ ଆକଳନ ଦେଇଥିଲୁ ଏବଂ ମୁଁ ବହୁତ ଆଶାବାଦୀ ଯେ ୨୦୨୨ ର ଶୀତକାଳୀନ ଅଧିବେଶନ ଏଠାରେ ଆୟୋଜନ କରାଯିବ ।