ଏଣିକି ଅନଲାଇନରେ ରଖାଯିବ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ

- ଇ-ଉପସ୍ଥାନ ଆପ୍ର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର : ଏଣିକି ଅନଲାଇନରେ ରଖାଯିବ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ । ଇ-ଉପସ୍ଥାନ ଆପ୍ର ଶୁଭାରମ୍ଭ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ସବୁ ସ୍କୁଲର ଉପସ୍ଥାନ ଆପ୍ ଜରିଆରେ ଜଣାପଡ଼ିବ । ଶିକ୍ଷା ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ଏହା ଅଭିନବ ପଦକ୍ଷେପ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କହିଥିଲେ ଯେ ଏହି ଆପ୍ ମାଧ୍ୟମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥାପନ ଅନ୍ଲାଇନ୍ ମାଧ୍ୟମରେ ଜାଣିବା ସହିତ ସେମାନେ କି ପ୍ରକାର ଡିଜିଟାଲ୍ ମାଧ୍ୟମ ଯଥା-ସ୍ମାର୍ଟଫୋନ, କମ୍ପ୍ୟୁଟର, ସାଧାରଣ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଜାଣିହେବ । ଏହି ଇ-ଉପସ୍ଥାନ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଇ-ଉପସ୍ଥାନ ମାଧ୍ୟମରେ ବିଭାଗର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଉନ୍ନତ ଏବଂ ତ୍ୱରାନ୍ୱିତ ହୋଇପାରିବ । ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଲେ ବିଦ୍ୟାଳୟ ପରିଚାଳନାରେ ସ୍ୱଚ୍ଛତା ଆସିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଓସେପାର ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ଉପନିର୍ଦ୍ଦେଶକ ଶ୍ରୀ ଉଦୟନାଥ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।