ଗତ ୧୧ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ

ନୂଆଦିଲ୍ଲୀ : ମାର୍ଚ୍ଚ ମାସର ଗରମ ସବୁ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷର ମାର୍ଚ୍ଚମାସ ଗତ ୧୧ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ ଓ ଗତ ୧୨୧ ବର୍ଷରେ ୩ୟ ସବୁଠୁ ଉତ୍ତପ୍ତ ମାର୍ଚ୍ଚ ମାସ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଜଣାପଡ଼ିଛି ପୂରା ଦେଶରେ ମାର୍ଚ୍ଚରେ ହାରାହାରି ତାପମାତ୍ରା ୩୨.୬୫ ଡିଗ୍ରି ସେଲସିୟସ୍ ରହିଥିଲା। ୨୦୧୦ର ମାର୍ଚ୍ଚ ମାସ ଗତ ୧୨୧ ବର୍ଷରେ ସବୁଠାରୁ ତତଲା ମାର୍ଚ୍ଚ ମାସ ଥିବାବେଳେ ୨୦୦୪ ୨ୟ ସବୁଠାରୁ ତତଲା ମାର୍ଚ୍ଚ ମାସ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ଦେଶର ବିଭିନ୍ନ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଚଳିତବର୍ଷର ମାର୍ଚ୍ଚ ମାସ ଗତ ୧୧ ବର୍ଷରେ ସବୁଠୁ ଅଧିକ ଗରମ ମାସ ଥିଲା।ଏହା ପୂର୍ବରୁ ୨୦୧୦ରେ ଦେଶରେ ହାରାହାରି ତାପମାତ୍ରା ୩୩.୦୯ ଏବଂ ୨୦୦୪ରେ ୩୨.୮୨ ଡିଗ୍ରି ସେଲସିୟସ୍ ଥିଲା। ଏଥର ହୋଲିରେ ମଧ୍ୟ ତାପମାତ୍ରା ରେକର୍ଡ ଭାଙ୍ଗିଛି। ମାର୍ଚ୍ଚ ମାସରେ ମେ ମାସ ଭଳି ଗରମ ଅନୁଭୂତ ହୋଇଥିଲା। ହୋଲିରେ ଦିଲ୍ଲୀ ସଫଦରଜଙ୍ଗରେ ୪୦.୧ ଡିଗ୍ରି ତାପାମାତ୍ରା ରେକର୍ଡ କରାଯାଇଥିଲା। ଏହା ୧୯୪୫ ପରେ ମାର୍ଚ୍ଚ ମାସରେ ସବୁଠୁ ଅଧିକ ତାପମାତ୍ରା ରହିଥିଲା। ୭୬ ବର୍ଷ ପରେ ପ୍ରଥମ ଥର ହୋଇଛି ଯେ ମାର୍ଚ୍ଚ ମାସରେ ଦିଲ୍ଲୀର ତାପମାତ୍ରା ୪୦ ଡିଗ୍ରି ପାର କରିଥିଲା। ପାଣିପାଗ ବିଶେଷଜ୍ଞଙ୍କ ମତରେ ୧୯୪୫ ପରେ ଗରମ ଏତେ ଶୀଘ୍ର ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।