ନୂଆବର୍ଷରେ ଅଘଟଣ ! ଭୋଗ ମଣ୍ଡପକୁ ପଶିଲେ ବ୍ୟକ୍ତି, ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ
ଭୁବନେଶ୍ୱର : ନୂଆବର୍ଷରେ ଅଘଟଣ । ରବିବାର ଇଂରାଜୀ ନୂଆବର୍ଷ ୨୦୨୩ରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ବ୍ୟତିକ୍ରମ । ଜଣେ ବ୍ୟକ୍ତି ମନ୍ଦିର ଗର୍ଭଗୃହରେ ଥିବା ଭୋଗ ମଣ୍ଡପକୁ ପ୍ରବେଶ କରିବାରୁ ଭୋଗ ମାରା ହୋଇଥିଲା । ଯାହାକୁ ନେଇ ଦିନ ତମାମ୍ ଦିଅଁଙ୍କର ନୀତି ବନ୍ଦ ରହିଥିଲା। ଅନ୍ୟପଟେ ଭୋଗକୁ ଅମଣିଆ କୂଅରେ ପକାଯିବା ଏବଂ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ସମ୍ପାଦକ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ।
ସୂଚନା ଯେ, ପ୍ରାତଃରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ଧୂପ ସରିବା ପରେ ଠାକୁରାଣୀଙ୍କ ସକାଳ ଧୂପ ହୋଇଥିଲା। ଭୋଗ ମଣ୍ଡପରେ ଠା’ କରାଯାଇ ରୋଷରୁ ଭୋଗ ମଣ୍ଡପକୁ ଭୋଗ ବୁହାଇଥିଲେ ମହାସୁଆର ସେବାୟତ। ଏହି ସମୟରେ କପିଳେଶ୍ୱର ଗ୍ରାମର ଜଣେ ବ୍ୟକ୍ତି ଭୋଗ ମଣ୍ଡପ ଭିତରକୁ ପ୍ରବେଶ କରିଥିଲେ। ଫଳରେ ଭୋଗ ମାରା ହେବା ଦର୍ଶାଇ ସେବାୟତମାନେ ଠାକୁରଙ୍କ ନୀତି ବନ୍ଦ କରିଥିଲେ। ପ୍ରଶାସନର ଅବହେଳାରୁ ରାତି ୯ଟା ସୁଦ୍ଧା ନୀତିରେ ସୁଧାର ଆସିପାରି ନ ଥିଲା। ଅନ୍ୟପଟେ ମାରା ଭୋଗକୁ ଅମଣିଆ କୂଅରେ ପକାଯିବା ଓ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ଯାଇ ନ ପାରି ଆଡ଼କାଠ ନିକଟରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରି କି କୌଣସି ସେବାୟତ ମଧ୍ୟ ଗର୍ଭଗୃହ ପର୍ଯ୍ୟନ୍ତ ଯାଇପାରି ନ ଥିଲେ।
ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି, କୋଠଭୋଗ, ଜଜମାନ ଭୋଗ ଓ ସମସ୍ତ ଭୋଗ ମାରା ହେବାପରେ ଅମୁଣିଆ କୂଅରେ ପକାଇଛୁ। ବଡୁ ନିଯୋଗ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲା। ଏହି ଫାଟକର ତାଲା ମନ୍ଦିର ପ୍ରଶାସନ ରଖିବା ବେଳେ ବଡୁ ନିଯୋଗ କିଭଳି ତାଲା ରଖିଛନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କୁହନ୍ତି, ମହାସୁଆର ସେବାୟତମାନେ କେବଳ କୋଠଭୋଗକୁ ମାରା ହେବା ପରେ ଅମୁଣିଆ କୂଅରେ ପକାଇଛନ୍ତି। ଜଜମାନ ଭୋଗକୁ ସେମାନେ ଶ୍ରଦ୍ଧାଳୁମାନଙ୍କୁ ବିକ୍ରି କରିଥିଲେ। ଯେଉଁ ମାରା ଭୋଗକୁ କେବଳ ଭୂତ, ପ୍ରେତ ଖାଇଥା’ନ୍ତେ କିଭଳି ଶ୍ରଦ୍ଧାଳୁଙ୍କୁ ଦେଲେ। ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସେବାୟତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଏଥିରେ ଆମର କିଛି ଭୂମିକା ନାହିଁ। ମନ୍ଦିର ପ୍ରଶାସନ ଅଧୀନରେ ବିଚାରଯୋଗ୍ୟ।