ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ
- ବାପ ଘରକୁ ଗଲେ ମା’
- ଆଜି ବିଶ୍ରାମ, କାଲି ରାଜବାଟି ପରିକ୍ରମା
ବ୍ରହ୍ମପୁର : ରାଜ୍ୟରେ ବଢୁଥିବା ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ପୂଜାପର୍ବ ଆଦି କେବଳ ବିଧି ଅନୁଯାୟୀ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଅସ୍ଥାୟୀ ପୀଠରେ ମା’ ଆଜି ବିଶ୍ରାମ ନେବା ପରେ ରବିବାର ରାଜବାଟି ପରିକ୍ରମା କରିବେ ।
ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ୭ ଦିନିଆ ଅନୁମତି ଦିଆଯାଇଛି। ବାଜା ବାଜଣା ତୁରୀ ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ବାପା ଘରେ ଖୁସିର ମାହୋଲ୍ । ଦେଶିବେହେରା ସାହି ଚଳ ଚଞ୍ଚଳ । ଦେଶିବେହେରାଙ୍କ ସମେତ ଅଞ୍ଚଳବାସୀ ଏକ ପଟୁଆରରେ ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ମଥାରୁ ଚାଙ୍ଗୁଡିରେ ଆଞାମାଳ ପାଇବା ପରେ ଦେଶିବେହେରାଙ୍କ ସ୍ତ୍ରୀ ଜାନକୀ ମାଆ ସାଆନ୍ତାଣୀଙ୍କୁ ମୁଣ୍ଡରେ ଧରି ବାପା ଘରକୁ ଅର୍ଥାତ୍ ଅସ୍ଥାୟୀ ମଣ୍ଡପକୁ ଆଣି ସ୍ଥାପନ କରାଯାଇଥିବା କହିଛନ୍ତି ବାପା ପି ଦୁର୍ଗା ପ୍ରସାଦ ଦେଶିବେହେରା । ଆଜି ମାଆ ବିଶ୍ରାମ ନେବା ପରେ ଆସନ୍ତା କାଲି ରାଜବାଟି ପରିକ୍ରମା କରିବା କାର୍ଯ୍ଯକ୍ରମ ରହିଥିବା କହିଛନ୍ତି ଦେଶିବେହେରା । ମାଆ ଆସିବା ପୂର୍ବରୁ ଚାରିଦିଗକୁ ବନ୍ଧନ କରାଯାଇଥିବା କହିଛନ୍ତି ଝାମି ପୂଜକ। ସେପଟେ କୋରନାର ଦ୍ବିତୀୟ ପ୍ରଭାବକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ୧୦ ପ୍ଳାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ ପି ପ୍ରଭାତ ରାଉତ ରାୟ ।