ଫେସବୁକରୁ ପ୍ରେମ ଓ ସେକ୍ସ ପରେ ପ୍ରତାରଣା : ଥାନା ଆଗରେ ଯୁବତୀର ଆତ୍ମାହୁତି ଉଦ୍ୟମ

ବାଲେଶ୍ୱର : ନିଜ ସ୍ୱାମୀଙ୍କ ଠାରୁ ଧୋକା ଖାଇଥିବା ରେସୋ ବିବି(୨୨) ନାମକ ଜଣେ ମହିଳା ରବିବାର ଅପରାହ୍ନରେ ସିମୁଳିଆ ଥାନା ପରିସରରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି । ପୋଲିସ ତାଙ୍କ ନିଖୋଜ ସ୍ୱାମୀଙ୍କୁ ଖୋଜି ଆଣିବା ପାଇଁ ସେ ଦାବୀ କରିଛନ୍ତି । ରେସୋ ବିବିଙ୍କ ଘର ଭଦ୍ରକ ଜିଲା ଆଗରପଡାରେ ।
ରେସୋ ବିବିଙ୍କ କହିବା ଅନୁସାରେ ପୂର୍ବରୁ ସେ ବିବାହିତ ଥିଲେ । ପରେ ସୋସିଆଲ ମିଡିଆରେ ସିମୁଳିଆ ଥାନା କୁପୁରା ଅଞ୍ଚଳର ଜସିମ ସାହାଜିଙ୍କ ସହିତ ସମ୍ପର୍କ ସ୍ଥାପନ ହେବାରୁ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଗତ ଜାନୁଆରୀ ମାସରେ ଜସିମଙ୍କ ସହିତ ଚେନ୍ନାଇ ଚାଲିଯାଇ ସେଠାରେ ବିବାହ କରିଥିଲେ । ସେ ଗର୍ଭବତୀ ଥିବାର ମଧ୍ୟ ସୂଚନା ଦେଇଛନ୍ତି । ଜସିମ ତାଙ୍କ ଆକାଉଣ୍ଟରେ ଥିବା ୨ଲକ୍ଷ ଟଙ୍କାକୁ ବିଭିନ୍ନ ଆଳ ଦେଖାଇ ହାତେଇଥିଲେ । ପରେ ମାଆଙ୍କ ଦେହ ଖରାପ ଥିବାର ଦର୍ଶାଇ ସେ ଗତ ଫେବୃଆରୀ ୪ରେ ରେସୋଙ୍କୁ ନେଇ ଘରକୁ ଆସୁଥିବା ବେଳେ ଭୁବନେଶ୍ୱରରେ ତାଙ୍କ ମୋବାଇଲ, ଗହଣା ଥିବା ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲେ । ରେସୋଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଗ୍ରହଣ ନକରିବା ଓ ସ୍ୱାମୀ ଫେରାର ହୋଇଯିବା ସମ୍ପର୍କରେ ସେ ଗତ ୯ା୬ା୨୧ରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବାର କହିଛନ୍ତି । ଅପରପକ୍ଷେ ରେସୋଙ୍କୁ ତାଙ୍କ ସ୍ୱାମୀ ତାଙ୍କୁ ଭୁବନେଶ୍ୱରରେ ଛାଡ଼ି ଫେରାର ହୋଇଯାଇଥିଲେ ହେଁ ମହିଳା ଜଣଙ୍କ ସେଠାରେ କିମ୍ବା ନିଜ ଘର ଆଗରପଡ଼ାରେ ଅଭିଯୋଗ କରିନାହାନ୍ତି । ତାଙ୍କ ସ୍ୱାମୀଙ୍କ ଘର ସିମୁଳିଆ ଥାନା ଅଧୀନରେ ହୋଇଥିବାରୁ ସେ ଏଠାରେ ଆସି ଅଭିଯୋଗ କରୁଛନ୍ତି । ତେବେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।