ରାମ ନବମୀରେ ଜନ୍ମ ନେଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ! ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ଓ ଶୁଭ ମୁହୂର୍ତ୍ତ
ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ପବିତ୍ର ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମତ୍ସୋବ । ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ସବୁ ବର୍ଷ ରାମ ନବମୀ ବେଶ୍ ଧୁମ୍ଧାମରେ ସାରା ଦେଶରେ ପାଳନ ହୋଇଥାଏ । ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ସମଗ୍ର ଭାରତ ପାଳିଥାଏ । ପୌରାଣିକ ଭିତ୍ତିରେ ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ ।
ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ ପ୍ରଭୁ ଶ୍ରୀରାମ ।
ଚଳିତ ବର୍ଷ କେବେ ପଡୁଛି ରାମ ନବମୀ :
ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ପଡୁଛି ରାମ ନବମୀ । ଏହା ପୂର୍ବରୁ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା । ରାମ ନବମୀ ପାଇଁ ସଜେଇ ହେଲାଣି ଅଯୋଦ୍ଧା ନଗରୀ । ରାମ ନବମୀ ପୂର୍ବରୁ ସେଠାରେ ସ୍ୱତନ୍ତ୍ର ଭାବରେ ଚାଲିଛି ପୂଜା ଅର୍ଚ୍ଚନା, ହୋମ ଯଜ୍ଞ ।
ଶୁଭ ମୁହୂର୍ତ୍ତ :
ପଞ୍ଚାଙ୍ଗ ଅନୁଯାୟୀ, ଚୈତ୍ର ମାସର ଶୁକ୍ଲ ପକ୍ଷର ନବମୀ ତିଥି ମାର୍ଚ୍ଚ ୨୯ତାରିଖ ରାତି ୦୯ .୦୭ରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ରାତି ୧୧ .୩୦ରେ ଶେଷ ହେବ। ରାମନବମୀ ପୂଜା ପାଇଁ ବିଶେଷ ମୁହୂର୍ତ୍ତ ହେଉଛି ସକାଳ ୧୧.୧୭ ମିନିଟରୁ ଦିନ ୧.୪୭ ମିନିଟ ପର୍ଯ୍ୟନ୍ତ ।
ପୌରାଣିକ ମତ ଅନୁସାରେ “ରମନ୍ତେ ସର୍ବତ୍ର ଇତି ରାମ” ଯାହାର ଅର୍ଥ ହେଉଛି ରାମ ଯିଏକି ସର୍ବବ୍ୟାପି । ସନାତନ ଧର୍ମର ସୁରକ୍ଷା ପାଇଁ ଭଗବାନ ବିଷ୍ଣୁ ଶ୍ରୀ ରାମଙ୍କ ରୂପରେ ମାନବ ରୂପରେ ଜନ୍ମ ହୋଇଥିଲେ। ତେଣୁ ଶ୍ରୀ ରାମ ନବମୀରେ ଭଗବାନ ରାମଙ୍କୁ ପୂଜା କଲେ ଯଶ ଖ୍ୟାତି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଭଗବାନ ରାମଙ୍କୁ ପୂଜା କଲେ ଜୀବନରେ ସକରାତ୍ମକତା ଆସିଥାଏ ଏବଂ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୁଏ । ଏହି ଦିନ ବିଶେଷ କରି ରାମ ରକ୍ଷା ସ୍ତୋତ୍ର ପାଠଂ କରିବା ଦ୍ୱାରା ସର୍ବ କାର୍ଯ୍ୟ ଅନୁକୂଳ ହୋଇ ଥାଏ ।
‘ଶ୍ରୀ ରାମ ଜୟ ରାମ, ଜୟ ଜୟ ରାମ
ଜୟ ସିୟା ରାମ ଜୟ,ଜୟ ଜୟ ସିୟା ରାମ’