ଆଇପିଏଲ୍-୨୦୨୨ : ୨୨ ସୁଦ୍ଧା ଦୁଇ ନୂଆ ଟିମ୍ର ଖେଳାଳି ନାମ ତାଲିକା
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ୨୦୨୨ ସିଜନ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ୍ର ପୁରୁଣା ୮ଟି ଟିମ୍ ନିଜ ନିଜ ରିଟେନ୍ ଖେଳାଳିଙ୍କ ତାଲିକା ପୂର୍ବରୁ ପ୍ରଦାନ କରିସାରିଛନ୍ତି। ଅନ୍ୟପକ୍ଷରେ ଆଗାମୀ ସିଜନ୍ରେ ସାମିଲ ହେବାକୁ ଥିବା ଦୁଇଟି ନୂଆ ଫ୍ରାଞ୍ଚାଇଜ୍କୁ ୩ ଜଣ ଲେଖାଏଁ ଖେଳାଳିଙ୍କ ତାଲିକା ୧୦ ଦିନ ମଧ୍ୟରେ ଦେବା ପାଇଁ ବିସିସିଆଇ କହିଛି। ଏଥିପାଇଁ ଜାନୁଆରୀ ୨୨ ତାରିଖ ନିର୍ଦ୍ଧାରିତ କରାଯାଇଛି। ବୁଧବାର ଆଇପିଏଲ୍ ଚେୟାର୍ମ୍ୟାନ୍ ବ୍ରଜେଶ୍ ପଟେଲ୍ ଏହି ସୂଚନା ଦେଇଛନ୍ତି।
ସୂଚନା ଯେ, ଆଗାମୀ ସିଜନ୍ରେ ୧୦ଟି ଟିମ୍କୁ ନେଇ ଆଇପିଏଲ୍ ଆୟୋଜିତ ହେବ। ଏପରି କ୍ଷେତ୍ରରେ ଦୁଇ ନୂଆ ଫ୍ରାଞ୍ଚାଇଜ୍ ହେଉଛନ୍ତି ସିଭିସି କ୍ୟାପିଟାଲ୍ ମାଲିକାନାରେ ଥିବା ଅହମ୍ମଦାବାଦ ଓ ସଞ୍ଜୀବ ଗୋଏଙ୍କା ମାଲିକାନାରେ ଥିବା ଆର୍ପିଏସ୍ଜି ଗ୍ରୁପ୍ର ଲକ୍ଷ୍ନୌ ଫ୍ରାଞ୍ଚାଇଜ୍। ମଙ୍ଗଳବାର ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ ମିଟିଂରେ ବିସିସିଆଇ ଏହି ଦୁଇ ଫ୍ରାଞ୍ଚାଇଜ୍କୁ ଆଇପିଏଲ୍ରେ ସାମିଲ ପାଇଁ ଅନୁମତି ପ୍ରଦାନ କରିଥିଲା। ସେହିପରି ବେଙ୍ଗାଲୁରୁରେ ଆଗାମୀ ଫେବୃଆରୀ ୧୨ ଓ ୧୩ ତାରିଖରେ ଆଇପିଏଲ୍ ମେଗା ଅକ୍ସନ୍ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟେଲ୍ ମିଟିଂ ପରେ ସ୍ପଷ୍ଟ କରିଥିଲେ। ଏହି ଅକ୍ସନ୍ରୁ ଖେଳାଳିଙ୍କୁ କିଣି ସମସ୍ତ ୧୦ ଫ୍ରାଞ୍ଚାଇଜ୍ ନିଜ ନିଜ ଅନ୍ତିମ ଟିମ୍ ପ୍ରସ୍ତୁତ କରବେ। ଅନ୍ୟପକ୍ଷରେ ଆଗାମୀ ସିଜନ୍ରୁ ଚୀନ୍ ମୋବାଇଲ୍ ନିର୍ମାତା କମ୍ପାନୀ ଭିଭୋ ପରିବର୍ତ୍ତେ ଟାଟା ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ହେବ ବୋଲି ଶ୍ରୀ ପଟେଲ୍ ମଙ୍ଗଳବାର କହିଥିଲେ।