ଲଘୁଚାପ ସକ୍ରିୟ, ଆଜି ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବାକୁ ଥିବା ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମି ରହିବା ସହ ଗମନାଗମନରେ ଅନେକ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।
ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠାରୁ ଅଗଷ୍ଟ ୧ ତାରିଖ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶୁକ୍ରବାର ପାଇଁ ୧୪ଟି ଜିଲା, ୩୧ ତାରିଖ ଶନିବାର ପାଇଁ ୬ଟି ଜିଲା ଓ ଅଗଷ୍ଟ ୧ ରବିବାର ପାଇଁ ୩ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ସହ ସତର୍କ ରହିବାକୁ କୁହାଯାଇଛି । ତେବେ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୪ ଜିଲା ମଧ୍ୟରେ ରହିଛି- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା । ତା ମଧ୍ୟରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୋଟିଏ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ମତ୍ସଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।