ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ସ୍ଥଗିତ
ନୂଆଦିଲ୍ଲୀ : ହରିୟାଣାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ସ୍ଥଗିତ ହୋଇଛି । ଚଳିତ ବର୍ଷ ଫେବୃଆରୀ ୫ରୁ ୧୪ ମଧ୍ୟରେ ଏହି ମେଗା ଇଭେଂଟ ଆୟୋଜନ ନେଇ ସୂଚୀ ରହିଥିଲା । ଏନେଇ ସ୍ପଷ୍ଟ କରିଛି ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ଏସଏଆଇ) । ଦେଶରେ ବର୍ତମାନ ଥିବା କୋଭିଡ-୧୯ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।
ପୂର୍ବରୁ ଏହି ମେଗା ଇଭେଂଟ ନଭେମ୍ବର-ଡିସେମ୍ବର ୨୦୨୧ରେ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଭାରତରେ କୋଭିଡ-୧୯ର ତୃତୀୟ ଲହର ଭୟ ଯୋଗୁଁ ଫେବୃଆରୀକୁ ସ୍ଥଗିତ ହୋଇଥିଲା । ତେବେ କୋଭିଡ-୧୯ ମହାମାରୀ ଦୈନିକ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଯୋଗୁଁ ଏହି କ୍ରୀଡା ଇଭେଂଟକୁ ପୁନଃସ୍ଥଗିତ କରାଯାଇଛି । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୫ଟି ସହରରେ ଅନୁଷ୍ଠିତ ହେବ- ପଂଚକୁଲା, ଅମ୍ବାଲା, ଚଣ୍ଡିଗଡ, ଶାହାବାଦ ଓ ଦିଲ୍ଲୀ । ପ୍ରାୟ ୧୦,୦୦୦ ଆଥଲେଟ୍ ୨୫ଟି ଭିନ୍ନ ଖେଳରେ ଅଂଶଗ୍ରହଣ କରିବା ନେଇ ସୂଚୀ ରହିଛି । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଗତ ସଂସ୍କରଣ ଆସାମର ଗୌହାଟୀରେ ଜାନୁଆରୀ ୨୦୨୦ରେ ଆୟୋଜିତ ହୋଇଥିଲା । ଦେଶରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଏହି ଇଭେଂଟ ପାଇଁ ନୂଆ ତାରିଖ ଘୋଷଣା ହେବ । ଆୟୋଜକ ହରିୟାଣା ୨୦୧୮ରେ ଖେଳାଯାଇଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପ୍ରଥମ ସଂସ୍କରଣର ବିଜେତା ରହିଥିଲା ।