କଳାକ୍ଷେତ୍ରରେ ବାର୍ଷିକ ଉତ୍ସବ ଓ କଳାମେଳା-୨୦୨୩ ସମାପନ ସମାହାର
ବାଲେଶ୍ୱର : ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ୨୮ତମ ବାର୍ଷିକ ଉତ୍ସବ ଓ କଳାମେଳା-୨୦୨୩ ସମାପନ ସମାହାର ସମାପ୍ତି ହୋଇଛି । ଏହି ଶେଷ ସନ୍ଧ୍ୟାରେ ପର୍ଶୁରାମ ପଣ୍ଡା ଏବଂ ଅନୁପମା ପଣ୍ଡାଙ୍କ ତରଫରୁ ବାଲେଶ୍ୱରର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କୁ ଫୁଲ ପୁଷ୍ପ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।
କଳାମେଳାରେ ବିଭିନ୍ନ ପ୍ରକାର କଳା କୃତି ଯେପରି ପଟ୍ଟଚିତ୍ର, ତୈଳ ଚିତ୍ର, ସେରାମିକ ଦ୍ୱାରା ପ୍ରସ୍ତୁତ ଘରୋଇ ଉପକରଣ, ଭାସ୍କର୍ଯ୍ୟ କଳାକୃତି, ମୁଦ୍ରଣ କଳା ଆଦି ବିକ୍ରି ହୋଇଥିଲା । ୩ ଦିନିଆ କଳାମେଳାରେ ମୋଟ୍ ୩ଲକ୍ଷ ୩୫ହଜାର ମୂଲ୍ୟର ସାମଗ୍ରୀ ବିକ୍ରି ହୋଇଛି । ସେଥିମଧ୍ୟରୁ ସର୍ବଶ୍ରେଷ୍ଠ ଗୋଟିଏ ଚିତ୍ର ୧୭ହଜାର ଟଙ୍କାରେ ବିକ୍ରୟ ହୋଇଥିବା ଜଣାପଡ଼ିଛି । ଏହି କଳାମେଳା ସଫଳ ହୋଇଥିବାରୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ, ଛାତ୍ରୀଛାତ୍ରମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ ।