ତାତିରୁ ମିଳିବ ସାମାନ୍ୟ ନିସ୍ତାର : ଆଜି ୯ଟି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ତତଲା ତାୱାରେ ସିଝୁଛି ଓଡ଼ିଶା। ଏହାରି ମଧ୍ୟରେ ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ନିସ୍ତାର । ଆସନ୍ତା ୩/୪ ଦିନ ରାଜ୍ୟର କିଛି ସ୍ଥାନରେ ଘଡଘଡି, ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢୁଛି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଏହାରି ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଇଛି । କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ କାଳବୈଶାଖୀଜନିତ ବର୍ଷା ପାଇଁ ଏବେ ରାଜ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ବୁଧବାର ଠାରୁ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଆରମ୍ଭ ହୋଇଯିବ ଓ ଧୀରେଧୀରେ ଏହା ପ୍ରଶସ୍ତ ହେବ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ତାରିଖ (ଗୁରୁବାର) ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ହେବ। ୩୦ ତାରିଖ (ଶୁକ୍ରବାର) ଦିନ ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ଓ ଝଡ଼ବର୍ଷା ହେବ। ୧ ତାରିଖ (ଶନିବାର) ଦିନ ବାଲେଶ୍ୱର, ଭଦ୍ରକ, ଯାଯପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଓ ଖୋର୍ଧା ଆଦି ଜିଲ୍ଲାରେ ବିଜୁଳି, ଘନଘଡ଼ି ସହ ବର୍ଷା ହେବ। ଏଣୁ ଏହି ୩ ଦିନ ପାଇଁ ଏହି ସବୁ ଜିଲ୍ଲା ପାଇଁ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।