ଆଜି ୧୯ ଜିଲାରେ କାଳବୈଶାଖୀ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

- ୩୦ରୁ ୪୦ କିମି ବେଗରେ ବୋହିପାରେ ପବନ
ଭୁବନେଶ୍ୱର : ରାଜ୍ୟରେ ଏବେ ତାପମାତ୍ରା ଅପେକ୍ଷାକୃତ କମ୍ ରହିଥିବା ବେଳେ ପୁଣି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୧୯ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ୩୦ ରୁ ୪୦ କିମି ବେଗରେ ପବନ ବୋହିବା ନେଇ ଆଶଙ୍କା କରାଯାଉଛି । ଫଳରେ ଏହି ଜିଲ୍ଲା ଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ବଜ୍ରପାତ ଓ କାଳବୈଶାଖୀ ସମ୍ଭାବନା ଥିବା ନେଇ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବରଗଡ଼, ସମ୍ବଲପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ରହିଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩୦ରୁ ୪୦କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହିଛି । ସେହିପରି କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠୁ କମ୍ ତାପମାତ୍ରା ରହି । ୧୩ ତାରିଖରେ ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପ ରୂପ ନେବ । ଯାହା ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଭାରତକୁ ନ ଆସି ଆଫ୍ରିକା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି । ଏହାଦ୍ୱାରା ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପାଗର ପରିବର୍ତ୍ତନ ହେବ।