ଆଇପିଏଲ-୨୦୨୩ : ହାଇଦ୍ରାବାଦକୁ ହରାଇ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ଗୁଜରାଟ୍, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲା ସନରାଇଜର୍ସ
ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ୬୨ତମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ୍ ଟାଇଟନ୍ସ ୩୪ ରନରେ ପରାସ୍ତ କରିଛି। ଶୁଭମନ ଗିଲ୍ଙ୍କ ଶତକ ପରେ ମହମ୍ମଦ ଶାମି ଏବଂ ମୋହିତ ଶର୍ମାଙ୍କ ଶାଣିତ ବୋଲିଂ ବଳରେ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ସହ ଗୁଜରାଟ୍ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲରେ ପ୍ଲେ ଅଫରେ ପ୍ରବେଶ କରିଥିବା ବେଳେ ହାଇଦ୍ରାବାଦ ଦ୍ଵିତୀୟ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡ଼ିଛି।
ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ୍ ଟାଇଟନ୍ସ ଶୁଭମନ ଗିଲ୍ଙ୍କ ୧୦୧ ରନ ଏବଂ ସାଇ ସୁଦର୍ଶନଙ୍କ ୪୭ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୯ ଓ୍ଵିକେଟ୍ ବିନିମୟରେ ୧୫୩ ରନ କରିଛି। ଦଳ ପକ୍ଷରୁ ଏକ ମାତ୍ର ବ୍ୟାଟର ଭାବେ ହେନରିଚ୍ କ୍ଲାସେନ ୬୪ ରନର ଇନିଂସ ଖେଳିଥିଲେ। ବୋଲିଂରେ ୫ ଓ୍ଵିକେଟ୍ ନେଇଥିବା ଭୁବନେଶ୍ଵର କୁମାର ବ୍ୟାଟିଂରେ ୨୭ ରନ କରିଥିଲେ। ଗୁଜରାଟ୍ ପକ୍ଷରୁ ମହମ୍ମଦ ଶାମି ଏବଂ ମୋହିତ ଶର୍ମା ୪ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୁମିକା ଗ୍ରହଣ କରିଛନ୍ତି।
ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଖାତା ଖୋଲି ନଥିବାବେଳେ ଋଦ୍ଧିମାନ ଶାହାଙ୍କ ଓ୍ବିକେଟ ହରାଇଥିଲା । କିନ୍ତୁ ଶୁଭମନ ଗିଲ ଓ ସାଇ ସୁଦର୍ଶନଙ୍କ ମଧ୍ୟରେ ୧୪୭ ରନର ଏକ ଚମତ୍କାର ଭାଗିଦାରୀ ଯୋଗୁଁ ଦଳ ଏକ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିଲା । ଗିଲ ୫୮ଟି ବଲରେ ନିଜର ଶତକ ପୂରଣ କରିଥିଲେ । ସାଇ ସୁଦର୍ଶନ ୪୭ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ଶୋଚନୀୟ ଭାବେ ବିଫଳ ହୋଇଥିଲେ । ଏପରିକି ସ୍କୋର ୧୮୬ ଥିବାବେଲେ ଦଳ ୩ଟି ଓ୍ବିକେଟ ହରାଇଥିଲା । ରସିଦ ଖାଁ, ନୁର ଅହମ୍ମଦ, ମହମ୍ମଦ ସମି ଓ କ୍ରମାଗତ ଭାବେ ଶୂନ ରନ କରି ଆଉଟ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ୫ଟି ଓ୍ବିକେଟ ନେଇଥିଲେ ।