ଆଇପିଏଲ୍ ୨୦୨୩ : ଫାଇନାଲରେ ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଗୁଜରାଟ
ଅହମ୍ମଦାବାଦ: ରିଜର୍ଭ ଡେ’ରେ ଆଜି ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ଲଢେଇ । ସଂଧ୍ୟା ୭ଟା ୩୦ମିନିଟକରୁ ଖେଳ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ରବିବାର ବର୍ଷା ଖେଳରେ ବାଧକ ସାଜିଥିଲା । ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା । ତେଣୁ ଫାଇନାଲ ମୁକାବିଲା ପାଇଁ ଗୋଟିଏ ରିଜର୍ଭ ଡେ’ ରହିଥିବାରୁ ଆଜି ଖେଳାଯିବ ମ୍ୟାଚ୍ । ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଗତକାଲି ପ୍ରବଳ ବର୍ଷା ଯୋଗୁ ପଡ଼ିଆ ପାଣି ଭର୍ତ୍ତି ହୋଇଯାଇଥିଲା । ବର୍ଷା ଛଡିଲା ପରେ ପାଣିକୁ ଶୁଖାଇବକୁ ପ୍ରାୟ ୧ଘଣ୍ଟା ଲାଗିଥିଲା । ଏପରି କି ୫ ଓଭର ବିଶିଷ୍ଟ ମ୍ୟାଚ ଖେଳିବାକୁ ଚିନ୍ତା କରାଯାଇଥିଲା, ହେଲେ ଆଉଟ୍ ଫିଲ୍ଡ ଶୁଖିନଥିବାରୁ ମ୍ୟାଚକୁ ରିଜର୍ଭ ଡେ’କୁ ପରିବର୍ତ୍ତନ କରାଯାଇଥିଲା । ମ୍ୟାଚ୍ ରେଫରୀ ସ୍ଥିତି ସମୀକ୍ଷା ପରେ ଅମ୍ପାୟାର ମାନଙ୍କ ସହ ଆଲୋଚନା କରି ରାତି ୧୦.୫୨ ମିନିଟରେ ମ୍ୟାଚ୍କୁ ସ୍ଥଗିତ ଘୋଷଣା କରିଥିଲେ ।
ଆଜି ସଂଧ୍ୟାରେ ହେବ ମହାମୁକାବିଲା । ସିଏକସେ ଓ ଜିଟି ମଧ୍ୟରେ ଟକ୍କର ହେବ । ୪ଥର ଚାମ୍ପିଅନ ଟିମ୍ ଚେନ୍ନାଇକୁ ମାତ୍ ଦେବାକୁ ଡିଫେଣ୍ଡିଂ ଚାମ୍ପିଅନ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ପ୍ରବଳ ବର୍ଷା ହୋଇଥିବା ପଡ଼ିଆ ସାମାନ୍ୟ ଧିମା ରହିବ । ଏହା ବୋଲରଙ୍କୁ ସୁହାଆଇବ । ଉଭୟ ଦଳ ବୋଲର ଟପ୍ ଫର୍ମରେ ରୋମାଞ୍ଚକର ହେବ ମ୍ୟାଚ୍ । ସେହିପରି ମହମ୍ମଦ ସାମି ଓ ସୁପରକିଙ୍ଗ୍ସ ଓପନରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସାମି ଇତି ମଧ୍ୟରେ ଡେଭନ କନୱେଙ୍କୁ ୩ଥର ଆଉଟ୍ କରିସାରିଛନ୍ତି । ମହମ୍ମଦ ସାମି ୧୬ଟି ମ୍ୟାଚରୁ ୨୮ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ସିଏସକେ ବୋଲର ପଥିରାନାଙ୍କ ସହିତ ଟାଇଟନ୍ସ ଓପନରଙ୍କ ମଧ୍ୟରେ ଲଢେଇ ହେବ । ତେବେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।
ଚଳିତ ସିଜନରେ ଉଭୟ ଦଳ ତୃତୀୟ ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟ ଶେଷ କରିଥିଲେ । ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ମାହୀ ବାହିନୀ । ସେହିପରି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇକୁ ଗୁଜରାଟ ହରାଇ ଟାଇଟଲ ଜିତିବାକୁ ପ୍ରସ୍ତୁତ ହୋଇ ରହିଛି ।
ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍ ଜିତିଛି । ସେହିପରି ଟାଇଟନ୍ସ ମୋଟ୍ ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି ।