ଆଇପିଏଲ୍-୨୦୨୨ : ଟସ୍ ଜିତି ଲକ୍ଷ୍ନୌର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ବାଙ୍ଗାଲୋର
![](https://thetruths.in/wp-content/uploads/2022/04/Lucknow-vs-Bangalore-1.jpg)
ମୁମ୍ବାଇ : ଆଇପିଏଲ୍-୨୦୨୨ରେ ମଙ୍ଗଳବାର ୩୧ତମ ଲିଗ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର। ଚଳିତ ସିଜନରେ ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳି ସମାନ ସଂଖ୍ୟକ ୮ ପଏଣ୍ଟ ହାସଲ କରିଛନ୍ତି । ନେଟ୍ ରନ୍ରେଟ୍ ଆଧାରରେ ସୁପରଜାଏଣ୍ଟ୍ସ ତୃତୀୟ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ଚତୁର୍ଥ ସ୍ଥାନରେ ରହିଛନ୍ତି । ଫଳରେ ଆଜିର ମ୍ୟାଚ ଜିତି ଉଭୟ ଦଳ ଶୀର୍ଷ ସ୍ଥାନ ପାଇଁ ଲଢ଼େଇ କରିବେ । ତେଣୁ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
ରୟାଲ୍ ଚ୍ୟାଲେଞ୍ଜର୍ସ ଓ ସୁପରଜାଏଣ୍ଟ୍ସ ଗତ ୧୬ ତାରିଖ ନିଜ ନିଜର ଶେଷ ମ୍ୟାଚ୍ ଖେଳିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ୧୬ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏବଂ ସୁପରଜାଏଣ୍ଟ୍ସ ୧୮ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ତେଣୁ ଆଜି ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ୍ । ଦୁଇ ଦଳ ବ୍ୟାଟିଂ ବିଭାଗ ଉପରେ ନିର୍ଭରଶୀଳ । ଅଭିଜ୍ଞ ୱିକେଟ୍ କିପର ବ୍ୟାଟର ଦିନେଶ କାର୍ତ୍ତିକ ରୟାଲ୍ ଚ୍ୟାଲେଞ୍ଜର୍ସ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି । ସେ ଦଳର ମ୍ୟାଚ୍ ଫିନିଶର ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇ ସମ୍ପ୍ରତ୍ତି ଚର୍ଚ୍ଚାର ପରିସର ମଧ୍ୟରେ ରହିଛନ୍ତି । କେବଳ ଅଧିନାୟକ ଫାଫ୍ ଡୁ’ପ୍ଲେସି ଓ ବିରାଟ କୋହଲି ସଫଳ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସକୁ ଅଟକାଇବା ମୁସ୍କିଲ ହେବ । ସୁପରଜାଏଣ୍ଟ୍ସ ଇତିମଧ୍ୟରେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିଛି । ଦଳ ଅଧିନାୟକ ଲୋକେଶ ରାହୁଲ ଓ କ୍ୱିଣ୍ଟନ ଡି’କକ୍ଙ୍କ ଉପରେ ନିର୍ଭରଶୀଳ ରହିଛି। ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ସେ ଅପରାଜିତ ୧୦୩ରନ୍ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅନ୍ୟ ପଟରେ ଦଳ ୩ନଂ ବ୍ୟାଟିଂ କ୍ରମକୁ ନେଇ ଚିନ୍ତିତ ରହିଛି । କାର୍ତ୍ତିକଙ୍କୁ ରୋକିବା ପାଇଁ ସୁପରଜାଏଣ୍ଟ୍ସ ସ୍ୱତନ୍ତ୍ର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ । କାର୍ତ୍ତିକ ରିଷ୍ଟ ସ୍ପିନରଙ୍କ ବିପକ୍ଷରେ ସେତେଟା ସଫଳ ହୋଇନାହାନ୍ତି । ତେଣୁ ଦଳ ରବି ବିଷ୍ଣୋଇଙ୍କୁ ନେଇ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।
ଲକ୍ଷ୍ନୌ ସୁପର ଜାଏଣ୍ଟସର ଚୂଡାନ୍ତ ଏକାଦଶ :-
କେ.ଏଲ୍ ରାହୁଲ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ଓ୍ଵିକେଟ୍ କିପର), ମନୀଷ ପାଣ୍ଡେ, ମାର୍କସ୍ ଷ୍ଟୋଇନିସ୍, ଦୀପକ ହୁଡ୍ଡା, ଆୟୁଷ ବାଦୋନି, କ୍ରୁନାଲ ପାଣ୍ଡ୍ୟା, ଜାସନ ହୋଲ୍ଡର, ଦୁଷ୍ମାନ୍ଥା ଚାମିରା, ଅଭେଶ ଖାନ, ରବି ବିଷ୍ଣୋଇ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଚୂଡାନ୍ତ ଏକାଦଶ :-
ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ସୁୟାଶ ପ୍ରଭୁଦେଶାଇ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ (ଓ୍ଵିକେଟ୍ କିପର), ୱାନିନ୍ଦୁ ହସରାଙ୍ଗା, ହର୍ଷଲ ପଟେଲ, ଜୋଶ ହାଜଲେଉଡ, ମହମ୍ମଦ ସିରାଜ।