ଆଇପିଏଲ୍-୨୦୨୨ : ଭରତ ଅରୁଣ କେକେଆର୍ ବୋଲିଂ କୋଚ୍
କୋଲ୍କାତା : ଆଗାମୀ ଆଇଇପିଏଲ୍-୨୦୨୨ ପୂର୍ବରୁ କୋଲ୍କାତା ନାଇଟ୍ ରାଇଡର୍ସ ଟିମ୍ ଇଣ୍ଡିଆର ପୂର୍ବତନ ବୋଲିଂ କୋଚ୍ ଭରତ ଅରୁଣଙ୍କୁ ଶୁକ୍ରବାର ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି। ୨୦୧୪ରୁ ଗତ ଆଇସିସି ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବୋଲିଂ କୋଚ୍ ଥିବା ଅରୁଣ ଟିମ୍କୁ ନୂଆ ଶିଖରରେ ପହଞ୍ଚାଇବରେ ସହାୟତା କରିଥିଲେ। ସେହିପରି ଜଣେ ଖେଳାଳି ଭାବେ ଟେଷ୍ଟ ଓ ଦିନିକିଆରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅରୁଣ ଘରୋଇ କ୍ରିକେଟ୍ରେ ତାମିଲନାଡ଼ୁର ସବୁଠୁ ସଫଳ ବୋଲର୍ ଥିଲେ। କେକେଆର୍ ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲନ୍ ତାଙ୍କୁ ଟିମ୍ର କୋଚିଠ ଷ୍ଟାଫ୍ରେ ସ୍ୱାଗତ କରିବା ସହ ଅନ୍ତର୍ଜାତୀୟ କ୍ରିକେଟ୍ରେ ସେ ଜଣେ ସଫଳ ଓ ଶକ୍ତିଶାଳୀ କୋଚ୍ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଅଭିଜ୍ଞତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବା କ୍ଷମତା ଆମ ବୋଲର୍ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମ୍ୟାକ୍ୟୁଲମ୍ କହିଛନ୍ତି।
ତାମିଲନାଡ଼ୁ ରାଜ୍ୟ ଟିମ୍ରେ କୋଚିଂ କ୍ୟାରିୟର୍ ଆରମ୍ଭ କରିଥିବା ଅରୁଣ ପରେ ବେଙ୍ଗାଲୁରୁସ୍ଥିତ ଏନ୍ସିର ମୁଖ୍ୟ ବୋଲିଂ କୋଚ୍ ହୋଇଥିଲେ। ଏହାପରେ ସେ ଭାରତୀୟ ଅଣ୍ଡର-୧୯ ସ୍କ୍ୱାଡ୍ର ମୁଖ୍ୟ କୋଚ୍ ହୋଇଥିଲେ ଏବଂ ତାଙ୍କ କୋଚିଂରେ ଟିମ୍ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୨ ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇଥିଲା। ଏକ ସଫଳ ଫ୍ରାଞ୍ଚାଇଜ୍ର ଅଂଶବିଶେଷ ହେବା ପରେ ବିଶେଷ ଉତ୍ସାହିତ ଅଛନ୍ତି ବୋଲି ଅରୁଣ କହିଛନ୍ତି। ସେହିପରି ଆଇପିଏଲ୍ ସହ ବିଶ୍ୱ ଟି-୨୦ ଲିଗ୍ରେ ନାଇଟ୍ ରାଇଡର୍ସର ଅନେକ ସଫଳତା ସହ ଏହାର ପେସାଦାର ଯାତ୍ରାର ମଧ୍ୟ ସେ ପ୍ରଶଂସା କରିଛନ୍ତି। ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରି କେକେଆର୍ ସିଇଓ ଓ ଏମ୍ଡି ଭେଙ୍କି ମେସୁର୍ କହିଛନ୍ତି ଭରତ ଅରୁଣଙ୍କୁ ବୋଲିଂ କୋଚ୍ ଭାବେ ପାଇ ଆମେ ବିଶେଷ ଉତ୍ସାହିତ। ସେ କେକେଆର୍ର ଶକ୍ତିଶାଳୀ କୋଚିଂ ଷ୍ଟାଫ୍କୁ ବିଶେଷ ଅଭିଜ୍ଞତା ପ୍ରଦାନ କରିବେ ବୋଲି ଆଶା ଏବଂ ଆମେ ତାଙ୍କୁ ନାଇଟ୍ ରାଇଡର୍ସ ପରିବାରକୁ ସ୍ୱାଗତ କରୁଛୁ।