ଆଇପିଏଲ-୨୦୨୧ : ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି
ଅହମ୍ମଦାବାଦ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ମଙ୍ଗଳବାର ୨୨ତମ ଲିଗ୍ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ ଉତ୍ତମ ପ୍ରଦର୍ଶନ କରି ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଛି । ଏହା ସହିତ ଦଳ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବାଙ୍ଗାଲୋର ମଧ୍ୟ ଦମଦାର ପ୍ରଦର୍ଶନ କରି ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରିଛି । ଏହା ସହିତ ଦଳ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।
ଭଭୟ ଦଳ ପାଇଁ ପଡ଼ିଆର ପିଚ୍ ନିଶ୍ଚିତହୋଇ ରହିଛି। ସେ ଦୃଷ୍ଟିରୁ ସମାନ ସ୍ଥିତିରେ ଥିବା ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଶ୍ୱାସ କରାଯାଉଛି। ଉଭୟ ଦଳ ଅଦ୍ୟାବଧି ୫ ଲେଖାଏଁ ମ୍ୟାଚ୍ ଖେଳି ୪ ଲେଖାଏଁ ଜିତି ସମାନ ୮ ପଏଣ୍ଟ୍ ଲେଖାଏଁ ପାଇଛନ୍ତି। ତେବେ ନିଜ ନିଜ ପୂର୍ବ ମ୍ୟାଚ୍ରେ ଉଭୟ ଦଳ ପାଲଟା ଫଳ ପାଇଛନ୍ତି। ବିରାଟ କୋହଲିଙ୍କ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିଲା। ଋଷଭ ପନ୍ତଙ୍କ ଦଳ କିନ୍ତୁ ଚେନ୍ନାଇର ଶେଷ ମୁକାବିଲାରେ ସୁପର୍ ଓଭରରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଆଧିପତ୍ୟ ଜାରି ରଖିବାକୁ ଯୋଜନା ପ୍ରସ୍ତୁତ କରିଛି। ଅନ୍ୟ ପଟରେ ଗତ ଦୁଇ ସିଜନ ପରାଜୟର ପ୍ରତିଶୋଧ ନେବାକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବଦ୍ଧ ପରିକର । ରୟାଲ୍ ଚ୍ୟାଲେଞ୍ଜର୍ସ ଶେଷ ଥର ପାଇଁ ୨୦୧୮ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା । ଏହାପରେ ୨୦୧୯ ଓ ୨୦୨୦ ସିଜନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୪ଟି ଯାକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ଚଳିତ ସିଜନର ସବୁଠୁ ଶକ୍ତିଶାଳୀ ରୂପେ ଉଭା ହୋଇଛି । ପ୍ରଥମ ୪ଟି ଯାକ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ପୂର୍ଣ୍ଣ ଆଧିପତ୍ୟ ଜାରି ରଖି ବିଜୟୀ ହୋଇଥିଲା । ଅବଶ୍ୟ ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସଠୁ ପରାଜିତ ହେବା ପରେ ଦଳର ତ୍ରୁଟି ନଜରକୁ ଆସିଛି । ମଙ୍ଗଳବାର ମ୍ୟାଚ୍ ପୂର୍ବରୁ ଦଳ ସମସ୍ତ ତ୍ରୁଟି ସୁଧାରି ନେବ ବୋଲି ବିରାଟ ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଇତି ମଧ୍ୟରେ ୫ଟି ମ୍ୟାଚ୍ ଖେଳି ୪ ବିଜୟ ସହ ୮ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ସ୍ଥାନରେ ରହିଛି । ତଥାପି ରୟାଲ୍ ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ଦଳକୁ ଚତୁର ରଣନୀତି ପ୍ରୟୋଗ କରିବାକୁ ପଡ଼ିବ । ଭାରତରେ କରୋନାର ପ୍ରକୋପ ଭୟାନକ ହେବାକୁ ଲାଗିଥିବାରୁ କିଛି ଖେଳାଳି ଆଇପିଏଲ୍ରୁ ଅବ୍ୟାହତି ନେଇଛନ୍ତି । ରାଜସ୍ଥାନ ରୟାଲ୍ସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଦଳର ଦୁଇ ଅଷ୍ଟ୍ରେଲୀୟ କେନ ରିଚାର୍ଡସନ ଓ ଆଡାମ ଜାମ୍ପା ଇତି ମଧ୍ୟରେ ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ମଧ୍ୟ ବିରତି ନେଇ ଘରକୁ ଫେରିଯାଇଛନ୍ତି । ତେଣୁ ଉଭୟ ଦଳ ମଙ୍ଗଳବାର ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିବେ ।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ : ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡ଼ିକଲ, କେନ୍ ୱିଲିୟମସନ୍, ମହମ୍ମଦ ସିରାଜ, ନଭଦୀପ ସୈନି, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ହର୍ଷଲ ପଟେଲ୍, ଗ୍ଲେନ ମ୍ୟାକ୍ସୱେଲ, କାଏଲ୍ ଜାମିସନ୍, ଡାନ୍ କ୍ରିଷ୍ଟିଆନ୍, ସୂୟାଂଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍ ଆଲେନ୍, ପବନ ଦେଶପାଣ୍ଡେ, ଡାନିଏଲ୍ ସାମ୍ସ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍।
ଦିଲ୍ଲୀ କ୍ୟାପିଟାଲ୍ସ : ଋଷବ ପନ୍ତ୍ (ଅଧିନାୟକ ଓ ୱିକେଟ୍ ରକ୍ଷକ), ଶିଖର ଧାୱନ, ପୃଥ୍ଵୀ ସ’, ଅଜିଙ୍କ୍ୟ ରାହାଣେ, ସିମ୍ରନ୍ ହେଟମେୟର୍, ମାର୍କସ ଷ୍ଟୋଇନିସ୍, କ୍ରିସ୍ ୱକ୍ସ, ରବିଚନ୍ଦ୍ରନ୍ ଅଶ୍ବିନ୍, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରବାଦା, ଅନରିକ୍ ନର୍ଖିୟା, ଈଶାନ୍ତ ଶର୍ମା, ଆଭେସ୍ ଖାନ୍, ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ, ରିପଲ୍ ପଟେଲ୍, ବିଷ୍ଣୁ ବିନୋଦ, ଲୁକମାନ୍ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କରନ୍, ସାମ୍ ବିଲିଙ୍ଗ୍ସ।