ଆଇପିଏଲ-୨୦୨୧ : ଆଜି ଚେନ୍ନାଇ-ବାଙ୍ଗାଲୋର ଓ ହାଇଦ୍ରାବାଦ-ଦିଲ୍ଲୀ ମୁକାବିଲା
![](https://thetruths.in/wp-content/uploads/2021/04/Vivo-IPL-2021.jpg)
ମୁମ୍ବାଇ : ଆଇପିଏଲ୍-୨୦୨୧ରେ ରବିବାର ସୁପରସଣ୍ଡେରେ ଡବଲ୍ ଧମାଲ ଦେଖିବାକୁ ମିଳିବ। ଏଥିରେ ୧୯ତମ ଲିଗ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ୍ସ ପରସ୍ପରକୁ ଭେଟିବେ । ମୋଟ୍ ଉପରେ କହିବାକୁ ଗଲେ ଆଜିର ମ୍ୟାଚ୍ରେ ଅଧିନାୟକ ଗୁରୁ ମହେନ୍ଦ୍ର ସିଂ ଧୋନି ଓ ଶିଷ୍ୟ ବିରାଟ କୋହଲିଙ୍କ ମଧ୍ୟରେ ଲଢେଇ ହେବ । ସେହିପରି ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ୱାର୍ନରଙ୍କ ନେତୃତ୍ୱାଧୀନ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ।
![](https://thetruths.in/wp-content/uploads/2021/04/chennai-bangalore-1024x515.jpg)
ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଚେନ୍ନାଇ-ବାଙ୍ଗାଲୋର ମ୍ୟାଚ୍ ହାଇସ୍କୋରିଂ ହୋଇପାରେ। ଚେନ୍ନାଇର ଏମଏ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ କିନ୍ତୁ ଦିଲ୍ଲୀ ଓ ହାଇଦ୍ରାବାଦ ବ୍ୟାଟର୍ଙ୍କୁ ଜୋସ୍ ପରିବର୍ତ୍ତେ ହୋସ୍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। କାରଣ ଚିଦାମ୍ବରମ୍ ପିଚ୍ ଲଗାତାର ଭାବେ ବୋଲରଙ୍କୁ ସୁହାଉଥିଲା ବେଳେ ଏଠାରେ ବଡ଼ ସଟ୍ ଖେଳିବା ଆଦୌ ସହଜ ହେଉନି। ଏପରିକି ଏହି ପିଚ୍କୁ ବହୁ ଖେଳାଳି ସମାଲୋଚନା କରିସାରିଲେଣି। ପଏଣ୍ଟ୍ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ଧୋନି ଓ କୋହଲି ଚଳିତ ଋତୁରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିବେ। ଆର୍ସିବି ନିଜ ପ୍ରଥମ ଚାରିଟି ମ୍ୟାଚ୍ରେ ଲଗାତାର ବିଜୟ ହାସଲ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଥିଲା ବେଳେ ନିଜ ପ୍ରଥମ ମ୍ୟାଚ୍କୁ ହାରିବା ପରେ ହ୍ୟାଟ୍ରିକ୍ ବିଜୟ ସହ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ତାର ପୂର୍ବ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟ୍ରେ ଧରାଶାୟୀ କରିଛି। ସେପଟେ ସିଏସ୍କେ ମଧ୍ୟ ଉଚ୍ଚକୋଟୀର କ୍ରିକେଟ୍ ଖେଳି ଗତ ତିନିଟି ଯାକ ମ୍ୟାଚ୍ରେ ଆତ୍ମବିଶ୍ବାସଭରା ବିଜୟ ହାସଲ କରିଛି। ଆର୍ସିବି ପାଇଁ ସବୁଠାରୁ ଭଲ ଖବର ହେଲା କରୋନା ମୁକ୍ତ ହୋଇ ଦଳ ସହ ଯୋଗ ଦେବା ପରେ ଦୁଇଟି ପାଳିରେ ଅପେକ୍ଷାକୃତ ବଡ଼ ସ୍କୋର କରି ପାରିନଥିବା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡ଼ିକଲ ପ୍ରଥମ ବିଜେତା ରାଜସ୍ଥାନ ବିପକ୍ଷରେ ଶତକୀୟ ପାଳି ଖେଳିଛନ୍ତି। ଅଧିନାୟକ କୋହଲି ବି ପୂରା ଫର୍ମରେ ଅଛନ୍ତି। ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ ଭିଲିୟର୍ସ ଧମାକାଦାର ବ୍ୟାଟିଂ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ଗତ ଋତୁରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ପଞ୍ଜାବ କିଙ୍ଗ୍ସରୁ ବିଦା ହେବା ପରେ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଭାଗ୍ୟ ଯେମିତି ବଦଳି ଯାଇଛି। ଆର୍ସିବିର ଚାରିଟି ଯାକ ମ୍ୟାଚ୍ରେ ସେ ବହୁତ ଭଲ ବ୍ୟାଟିଂ କରିଛନ୍ତି। ଆର୍ସିବିର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଚାରିଟି ୱିକେଟ୍ ନେଇଥିବା ଚେନ୍ନାଇ ବୋଲର ଦୀପକ ଚହରଙ୍କୁ ପ୍ରତିହତ କରିବାକୁ ପଡ଼ିବ। କାରଣ ଗତ ତିନିଟି ଯାକ ମ୍ୟାଚ୍ରେ ଚହରଙ୍କ ଚମକ ହିଁ ସିଏସ୍କୁ ହ୍ୟାଟ୍ରିକ୍ ବିଜୟ ଦେଇଛି। ଅନୁରୂପ ଭାବେ ସିଏସ୍କେର ଯୁବ ପ୍ରାରମ୍ଭିକ ବ୍ୟାଟର୍ ଋତୁରାଜ ଗାଏକ୍ବାଡ୍ ମଧ୍ୟ ଫର୍ମକୁ ଫେରିଛନ୍ତି। ଫାଫ୍ ଡୁ’ପ୍ଲେସିସ୍ ଓ ଋତୁରାଜ ମିଳିତ ଭାବେ ସିଏସ୍କେ ପାଇଁ ଦୃଢ଼ ମୂଳଦୁଆ ପକାଇବାକୁ ସଂପୂର୍ଣ୍ଣ ସକ୍ଷମ। ତୃତୀୟ ସ୍ଥାନରେ ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ ଚତୁର୍ଥରେ ସୁରେଶ ରାଇନା ଥିବାରୁ ସିଏସ୍କେ ବ୍ୟାଟିଂ ମଧ୍ୟ ଆର୍ସିବି ତୁଳନାରେ କୌଣସି ଗୁଣରେ କମ୍ ନୁହେଁ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମଧ୍ୟ ସିଏସ୍କେର ଆଉ ଏକ ଟ୍ରମ୍ପକାର୍ଡ। ତାଙ୍କ ଆଗରୁ ରନ୍ ନେବା ଆର୍ସିବି ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଆଦୌ ସହଜ ହେବନି। କୁଶଳୀ ଦ୍ରୁତ ବୋଲର ମହମ୍ମଦ ସିରାଜ ବି କୋହଲି ବାହିନୀକୁ ପରୀକ୍ଷାରେ ପକାଇବାର ଦମ୍ଭ ରଖନ୍ତି। ମହଙ୍ଗା ସାବ୍ୟସ୍ତ ହେଉଥିବା ଅନ୍ୟତମ ଦ୍ରୁତ ବୋଲର ଶାର୍ଦୁଳ ଠାକୁରଙ୍କୁ ଅବଶ୍ୟ ତାଙ୍କ ପୁରୁଣା ଚମକ ଦେଖାଇବାକୁ ହେବ। ଦୁଇଟି ଯାକ ଦଳର ପୂର୍ବ ପ୍ରଦର୍ଶନକୁ ତର୍ଜମା କଲେ ଆର୍ସିବିଠାରୁ ସିଏସ୍କେ ଢେର ଆଗରେ ରହିବ। ଉଭୟ ଦଳ ଆଇପିଏଲ୍ର ଗତ ୧୩ ସଂସ୍କରଣରେ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ସିଏସ୍କେ ପାଖପାଖି ଦୁଇଗୁଣା ଅର୍ଥାତ୍ ୧୭ ମ୍ୟାଚ୍ ଜିତିଥିଲା ବେଳେ ଆର୍ସିବି ମାତ୍ର ୯ ମ୍ୟାଚ୍ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି। ୟୁଏଇରେ ଖେଳାଯାଇଥିବା ଗତ ଋତୁରେ ଉଭୟ ଦୁଇଟି ମ୍ୟାଚ୍ରେ ମୁହାଁମୁହିଁ ହୋଇ ଗୋଟିଏ ଲେଖାଏଁ ବିଜୟ ସହ ବରାବର ସ୍ଥିତିରେ ଥିଲେ।
![](https://thetruths.in/wp-content/uploads/2021/04/hyderabad-delhi-1024x529.jpg)
ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଉଭୟ ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଥିବାରୁ ଆଜିର ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ଗତ ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୬ ୱିକେଟ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଇତି ମଧ୍ୟରେ ୪ଟି ମ୍ୟାଚ୍ ଖେଳି କ୍ୟାପିଟାଲ୍ସ ଦଳ ୩ଟି ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ସନରାଇଜର୍ସ ଅନ୍ତିମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ୯ ୱିକେଟ୍ରେ ପରାସ୍ତ କରି ସିଜନର ପ୍ରଥମ ବିଜୟ ହାସଲ କରିଥିଲା । ଚେନ୍ନାଇର ମନ୍ଥର ପିଚ୍ରେ ଟସ୍ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବା ଆଶା କରାଯାଉଛି । କରୋନା ମୁକ୍ତ ହୋଇ ଅକ୍ଷର ପଟେଲ ଦଳ ସହ ଯୋଗ ଦେଇଛନ୍ତି । ତେଣୁ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପେସ୍ ବୋଲର ଆନରିଚ ନର୍ଜଙ୍କ ଦ୍ରୁତ ଗତି ଚେନ୍ନାଇର ମନ୍ଥର ପିଚ୍ରେ ସହାୟତା କରିବା ନିଶ୍ଚିତ । ତେଣୁ ତାଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ସନରାଇଜର୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଦଳକୁ ଶ୍ରେଷ୍ଠ ଏକାଦଶ ମିଳି ଯାଇଛି । ରବିବାର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୫ଟି ମ୍ୟାଚ୍ ମଧ୍ୟରୁ ଦିଲ୍ଲୀ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ । ସନରାଇଜର୍ସ ଉଭୟ ଲିଗ୍ ମ୍ୟାଚ୍ରେ ବିଜୟୀ ହୋଇଥିଲା । ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା ।