ଆଇପିଏଲ-୨୦୨୧ : ବିଜୟ ଅଭିଯାନ ଆରମ୍ଭ କଲେ ବାଙ୍ଗାଲୋର
- ପ୍ରଥମ ମୁକାବିଲାରେ ଚମକିଲେ ହର୍ଷଲ ଓ ଡିଭିଲିୟର୍ସ
- ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ମୁମ୍ବାଇକୁ ୨ ଓ୍ଵିକେଟ୍ରେ ହରାଇଲା ବେଙ୍ଗାଲୁରୁ
ଚେନ୍ନାଇ : ଆଇପିଏଲ-୨୦୨୧(୧୪ଶ ସଂସ୍କରଣ)ର ପ୍ରଥମ ମ୍ୟାଚଟି ବେଶ ରୋମାଞ୍ଚକର ସ୍ଥିତିରେ ଶେଷ ହୋଇଛି । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ଵିକେଟ୍ରେ ପରାସ୍ତ କରିଛି । ବାଙ୍ଗାଲୋର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏ.ବି. ଡିଭିଲୟର୍ସ ଓ ହର୍ଷଲ ପଟେଲ । ଡିଭିଲିୟର୍ସ ମାତ୍ର ୨୭ ବଲରେ ୪୮ ରନ କରିଥିବାବେଳେ ହର୍ଷଲ ପଟେଲ ୫ ଓ୍ଵିକେଟ୍ ନେଇଥିଲେ । ବିଜୟ ସହ ଚଳିତ ସିଜିନ୍ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଆରମ୍ଭ କରିଛି। ଏଥିସହ କ୍ରମାଗତ ନବମ ଥର ଆଇପିଏଲର ପ୍ରଥମ ମ୍ୟାଚ୍ରେ ମମ୍ବାଇ ଇଣ୍ଡିଆନ୍ସ ପରାଜୟର ସ୍ଵାଦ ଚାଖିଛି।
ଆଜି ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ହର୍ଷଲ ପଟେଲଙ୍କ ମାପଚୁପ ବୋଲିଂର ମୁକାବିଲା କରି ନପାରି ୧୬୦ ରନ ଭିତରେ ସୀମିତ ରହିଛି। କ୍ରିସ୍ ଲିନ୍ଙ୍କ ୪୯ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ସୂର୍ଯ୍ୟକୁମାର ଯାଦବ ୩୧ ଏବଂ ଇଶାନ କିଷନ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ଇନିଂସ ଓପନ କରିଥିବା ଅଧିନାୟକ ରୋହିତ ଶର୍ମା ଓ କ୍ରିସ୍ ଲିନ ପ୍ରଥମ ଓ୍ଵିକେଟ୍ରେ ୨୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୯ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହା ପରେ କ୍ରିସ୍ ଲିନ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଦ୍ଵିତୀୟ ଓ୍ଵିକେଟ୍ ପାଇଁ ଦୁଇ ବ୍ୟାଟସମ୍ୟାନ ୭୦ ରନ ଯୋଡି ବଡ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ସୁର୍ଯ୍ୟକୁମାର ଯାଦବ ୨୩ ବଲ୍ରୁ ୪ ଚୌକା ଓ ୧ ଛକା ସହ ୩୧ ରନ କରି ପାଭିଲିୟନ ଫେରିଥିଲେ। ୧୦୫ ରନ ସ୍କୋରରେ ମୁମ୍ବାଇ କ୍ରିସ୍ ଲିନଙ୍କ ଭାବେ ତୃତୀୟ ଓ୍ଵିକେଟ୍ ହରାଇଥିଲା। ଲିନ୍ ଗୋଟିଏ ରନ ଦୂରରେ ରହି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୩୫ ବଲ୍ରୁ ସେ ୪ ଚୌକା ଓ ୩ ଛକା ଜରିଆରେ ୪୯ ରନ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧୩) ମଧ୍ୟ କିଛି ଖାସ୍ କରି ପାରିନଥିଲେ। ଶେଷ ଆଡକୁ ଇଶାନ କିଷନ ୨୮ ରନ କରି ଏଲବିଡବ୍ଲ୍ୟୁ ହୋଇଥିଲେ। ଶେଷ ଓଭରରେ ମୁମ୍ବାଇ ଦୟନୀୟ ବ୍ୟାଟିଂ କରି ୪ ଓ୍ଵିକେଟ୍ ହରାଇଥିଲା। କୃଣାଲ ପାଣ୍ଡ୍ୟା(୭) ଓ କୈରନ ପୋଲାର୍ଡ୯୭)ଙ୍କୁ କ୍ରମାଗତ ଦୁଇଟି ବଲ୍ରେ ଆଉଟ୍ କରି ହର୍ଷଲ ପଟେଲ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ଶେଷରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ଏକଦା ୧୧ ଓଭରରେ ୨ ଓ୍ଵିକେଟ୍ରେ ୯୪ ରନ କରିଥିବା ମୁମ୍ବାଇ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଦ୍ଵାରା ଆଶାନରୂପ ପ୍ରଦର୍ଶନ ନହେବାରୁ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଛି। ଶେଷ ୯ ଓଭରରେ ମୁମ୍ବାଇ ୭ ଓ୍ଵିକେଟ୍ ହରାଇ ମାତ୍ର ୬୫ ରନ ସଂଗ୍ରହ କରି ପାରିଥିଲା। ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ୍ ୨୭ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିବା ବେଳେ କାଇଲ ଜେମିସନ ଓ ଓ୍ଵାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁର ଦୁଇ ଓପନର ବିରାଟ କୋହଲି ଓ ଓ୍ଵାଶିଂଟନ ସୁନ୍ଦର ପ୍ରଥମ ଓ୍ଵିକେଟ୍ରେ ୩୬ ରନ ଯୋଡିଥିଲେ। ଓ୍ଵାଶିଂଟନ ସୁନ୍ଦର(୧୦)ଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ଦଳକୁ ପ୍ରଥମ ସଫଳତା ଦେଇଥିଲେ। ରଜତ ପାଟିଦାର(୮) କିଛି ଖାସ୍ କରି ପାରିନଥିଲେ। ଏହା ପରେ କୋହଲି ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ଦ୍ରୁତ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ରେ ୫୨ ରନ ଯୋଡିଥିଲେ। କ୍ରିଜରେ ଜମି ଆସିଥିବା ବିରାଟ କୋହଲିଙ୍କୁ ଯଶପ୍ରୀତ ବୁମରା ୧୪ତମ ଓଭରରେ ଆଉଟ୍ କରି ଦଳକୁ ବହୁତ ବଡ ସଫଳତା ଦେଇଥିଲେ। କୋହଲି ୨୯ ବଲ୍ରୁ ୪ ଚୌକା ସହ ୩୩ ରନ କରିଥିଲେ। ବେଙ୍ଗାଲୁରୁ ବିଜୟ ଆଡକୁ ଗତି କରୁଥିବା ବେଳେ ୧୫ତମ ଓଭର ବୋଲିଂ କରିଥିବା ମାର୍କୋ ଜନସେନ ଏହି ଓଭରରେ ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଶାହବାଜ ଅହମ୍ମଦ(୧)ଙ୍କ ଆଉଟ୍ କରି ମୁମ୍ବାଇ ଇଣ୍ଡିଆନ୍ସକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇଥିଲ। ମ୍ୟାକ୍ସଓ୍ଵେଲ ୨୮ ବଲ୍ରୁ ୩ ଚୌକା ଓ ୨ ଛକା ସହ ୩୯ ରନର ଦ୍ରୁତ ବ୍ୟାଟିଂ କରି ଆଉଟ୍ ହୋଇଥିଲେ। ଏହା ପରେ ଡାନିଏଲ କ୍ରିଷ୍ଟିୟାନ(୧)ଙ୍କୁ ବୁମରା ଆଉଟ୍ କରିଥିଲେ। ହେଲେ ଅନ୍ୟପଟେ ଏବି ଡିଭିଲିୟର୍ସ କ୍ରିଜ୍ରେ ଜମି ରହି ବେଙ୍ଗାଲୁରୁର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଶେଷ ଓଭରରେ ବେଙ୍ଗାଲୁରୁକୁ ୭ ରନ ଦରକାର ଥିବା ବେଳେ ଏବି ଡିଭିଲିୟର୍ସ ଶେଷ ଓଭରରେ ୪୮ ରନ କରି ଆଉଟ୍ ହୋଇଥିଲେ।। ଡିଭିଲିୟର୍ସ ୨୭ ବଲ୍ରୁ ୪ ଚୌକା ଓ ୨ ଛକା ସହ ୪୮ ରନ କରିଥିଲେ। ବେଙ୍ଗାଲୁରୁ ଓଭରରେ ୮ ଓ୍ଵିକେଟ୍ ହରାଇ ୧୬୦ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମରା ୨୬ ରନ ଦେଇ ୨ ଏବଂ ମାକ୍ରୋ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଡଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।