ଆଇପିଏଲ୍-୨୦୧୧ : ଟସ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି
ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ମଙ୍ଗଳବାର ୧୩ତମ ମ୍ୟାଚ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏହା ପୂର୍ବରୁ ପଡିଥିବା ଟସ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇଦଳ ମଧ୍ୟରେ ୨୮ଟି ମ୍ୟାଚ ଖେଳାଯାଇଥିବାବେଳେ ଦିଲ୍ଲୀ ୧୨ଟି ମ୍ୟାଚରେ ଓ ମୁମ୍ବାଇ ୧୬ଟି ମ୍ୟାଚରେ ବିଜୟ ହାସଲ କରିଛି । ଏଣୁ ରେକର୍ଡ ମୁମ୍ବାଇ ସପକ୍ଷରେ ରହିଛି । ଚଳିତ ଆଇପିଏଲରେ ଉଭୟ ଦିଲ୍ଲୀ ଓ ମୁମ୍ବାଇ ୩ଟି ଲେଖାଏଁ ମ୍ୟାଚ ଖେଳି ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଫଳରେ ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି, କିନ୍ତୁ ନେଟ ରନ ରେଟ୍ ହାରରେ ଦିଲ୍ଲୀ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବାବେଳେ ମୁମ୍ବାଇ ୪ର୍ଥ ସ୍ଥାନରେ ରହିଛି । ଏ ବର୍ଷ ଦିଲ୍ଲୀର ପ୍ରଦର୍ଶନ ଭଲ ଥିବାବେଳେ ନିଜର ମଧ୍ୟକ୍ରମ ବ୍ୟାଟିଂକୁ ନେଇ ମୁମ୍ବାଇ ଟିକିଏ ଚିନ୍ତାରେ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରାୟତଃ ଶ୍ରେଷ୍ଠ ଏକାଦଶ ମିଳି ସାରିଛି । କ୍ୱିଣ୍ଟନ ଡି କକ୍ ଓ ରୋହିତ ଶର୍ମା ଓପନ କରିବେ । ମଧ୍ୟଭାଗ ସମ୍ଭାଳିବେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ । ନିମ୍ନ ମଧ୍ୟଭାଗରେ କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା ରହିଛନ୍ତି । ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ରାହୁଲ ଚହର ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । କେବଳ ତୃତୀୟ ପେସ୍ ବୋଲର ସ୍ଥାନକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ସନରାଇଜର୍ସ ବିପକ୍ଷ ମ୍ୟାଚ୍ରେ ଆଡାମ ମିଲନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ତାଙ୍କ ବଦଳରେ ନାଥାନ କଲ୍ଟର-ନାଇଲ ଖେଳିପାରନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଚମକପ୍ରଦ ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ତଥାପି ମଧ୍ୟଭାଗ ବ୍ୟାଟିଂ ବିଭାଗ ସମସ୍ୟା ଦୂର ହୋଇନାହିଁ । ଦଳର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଓ ଷ୍ଟିଭେନ ସ୍ମିଥ୍ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଉଭୟଙ୍କ ବିକଳ୍ପ ମିଳିବା ଅସମ୍ଭବ। ପରୋକ୍ଷ ଭାବେ ଦଳ ଦେଖିବାକୁ ଗଲେ ଅଧିନାୟକ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ମଙ୍ଗଳବାର ରାହାଣେ ଏକାଦଶକୁ ଫେରିବା ଆଶା କରାଯାଉଛି । ସେହିପରି ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଥିବା ପେସ ବୋଲର ଆନରିଚ ନର୍ଜଙ୍କୁ ଏକାଦଶରେ ଦେଖିବାକୁ ମିଳିପାରେ । ଶିଖର ଧାୱନ ଓ ଜଶପ୍ରୀତ ବୁମରାହଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫର୍ମରେ ଥିବା ଧାୱନ ଇତି ମଧ୍ୟରେ ୨ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୯୨ ରନ୍ର ଇନିଂସ ଖେଳି ସେ ଦଳକୁ ବିଜୟୀ କରାଇଥିଲେ । ଅନ୍ୟ ପଟରେ ବାମହାତି ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ବୁମରାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଛି ।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’ କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଟ୍ରେଣ୍ଟ୍ ବୋଲ୍ଟ, ଯଶପ୍ରୀତ ବୁମ୍ରା, ଜୟନ୍ତ ଯାଦବ, ନାଥନ କୁଲଟର ନାଇଲ୍, ଆଦାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନୁକୁଲ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି।
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ସ’,ମାର୍କସ ଷ୍ଟୋଇନିସ୍, କ୍ରିସ୍ ଓକ୍ସ, ଆର ଅଶ୍ବିନ, ଅମିତ ମିଶ୍ରା, କାଗିସୋ ରବାଦା, ଅଭେସ ଖାନ୍, ଷ୍ଟିଭେନ୍ ସ୍ମିଥ୍, ଲକମନ ମେରିୱାଲ, ସାମ୍ ବିଲିଙ୍ଗ୍ସ, ଆଦିତ୍ୟ ତାରେ, ପ୍ରବୀଣ ଦୁବେ, ଉମେଶ ଯାଦବ, ଟମ୍ କିନ, ସାମ୍ସ ମୁଲାନି, ଅନରିକ ନର୍ଖିୟା।