ଏଣିକି ହ୍ଵାଟସଆପ୍ରେ ମିଳିବ କରୋନା ଟିକାଦାନ କେନ୍ଦ୍ରର ସୂଚନା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରୁ ରକ୍ଷା ପାଇବା ପାଇଁ କୋଭିଡ୍ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । କରୋନା ଟିକାକୁ ନେଇ ଏବେ ବି ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଛି । ମାତ୍ର ଏହି ସମୟରେ ଯେଉଁ ପ୍ରଶ୍ନ ସବୁଠୁ ଅଧିକ ସର୍ଚ୍ଚ କରାଯାଉଛି ତାହା ହେଉଛି ନିକଟବର୍ତ୍ତୀ ଟିକାକରଣ କେନ୍ଦ୍ର କେଉଁଠାରେ ଅବସ୍ଥିତ ? ଯଦି ଆପଣ ମଧ୍ୟ ଏ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଫେସବୁକ୍ ର ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ରେ ଚାଟ୍ କରୁ କରୁ ହିଁ ଘର ନିକଟରେ ଥିବା ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ପାଇପାରିବେ ।
MyGovIndia ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି ଯେ, ହ୍ବାଟସଆପ୍ ରେ MyGov Corona Helpdesk ଏବେ ଲୋକଙ୍କ ନିକଟତମ ଟିକାକରଣ କେନ୍ଦ୍ର ସଂପର୍କରେ ସୂଚନା ଦେବ । ଏହା ହିନ୍ଦୀ ଏବଂ ଇଂଗ୍ରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ । ଯଦିଓ ଡିଫଲ୍ଟ ଭାଷା ଇଂରାଜୀ ଅଟେ କିନ୍ତୁ ଆପଣ ଚାହିଁଲେ ଭାଷାକୁ ହିନ୍ଦୀରେ ମଧ୍ୟ ପରିବର୍ତ୍ତନ କରିପାରିବେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଆପଣଙ୍କୁ କେଉଁ ନମ୍ବରକୁ ମେସେଜ୍ କରିବାକୁ ପଡିବ, ଅର୍ଥାତ୍, ସବିଶେଷ ତଥ୍ୟ ପାଇବା ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କ’ଣ ? ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ ୯୦୧୩୧୫୧୫୧୫ ନମ୍ବର ସେଭ୍ କରିବାକୁ ପଡିବ । ନମ୍ବର ସେଭ୍ କରିବା ପରେ ଫୋନରେ ହ୍ବାଟସଆପ୍ ଖୋଲନ୍ତୁ । ହ୍ବାଟସଆପ୍ ଖୋଲିବା ପରେ ସେଭ୍ କରିଥିବା ନମ୍ବର ସହିତ ଚାଟ୍ ବକ୍ସ ଖୋଲନ୍ତୁ । Namaste ଲେଖି ପଠାନ୍ତୁ । ଚାଟବାଣ୍ଟ ଆପଣଙ୍କୁ ୯ଟି ବିକଳ୍ପ ସହ ରିପ୍ଲାଏ କରିବ । ଟିକାକରଣ ସଂପର୍କରେ ସୂଚନା ପାଇବାକୁ, ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ । ଏହାପରେ ଆପଣଙ୍କୁ ୨ଟି ବିକଳ୍ପ ମିଳିବ, ସେଥିମଧ୍ୟରୁ ଟିକାକରଣକେନ୍ଦ୍ରର ସୂଚନା ପାଇଁ ଆପଣଙ୍କୁ ୧ ଲେଖି ପଠାଇବାକୁ ପଡିବ । ଏହାପରେ ଆପଣଙ୍କୁ PIN କୋଡ୍ ଦେବା ପାଇଁ କୁହାଯିବ । ଯେତେବେଳେ ଆପଣ ଆପଣଙ୍କ ଅଞ୍ଚଳର ପିନ୍ କୋଡ୍ ଲେଖି ପଠାଇବେ ନିକଟରେ ଥିବା ଟିକାକରଣ କେନ୍ଦ୍ର ବିଷୟରେ ସୂଚନା ପାଇଯିବେ ।