୫ଜି ଯୁଗରେ ଭାରତର ଏଣ୍ଟ୍ରି, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୫ଜି ସେବାର ଲଞ୍ଚ କରିଛନ୍ତି । ଏହି ସମୟରେ ମୋଦୀଙ୍କ ସହ କେନ୍ଦ୍ର ଦୂରସଞ୍ଚାର ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ଆକାଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ । ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଷଷ୍ଠ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିବା ସହ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ସେଠାରେ ମୋଦୀ ପ୍ରଦର୍ଶନୀର ମଧ୍ୟ ନିରୀକ୍ଷଣ କରିଥିଲେ । ପ୍ରଦର୍ଶନୀରେ ମୋଦୀଙ୍କ ସମ୍ମୁଖରେ ହାଇ-ସିକ୍ୟୋରିଟୀ ରେଟ, ସାଇବର ଥ୍ରେଟ ଡିଟେକ୍ସନ ପ୍ଲାଟଫର୍ମ ଓ ଆମ୍ବୁପୋଡ଼ ଭଳି ୫ଜି ଟେକ୍ନୋଲୋଜୀକୁ ପ୍ରଦର୍ଶନ କରାଯାଇଥିଲା ।
୨୦୨୩ ସୁଦ୍ଧା ସମଗ୍ର ଦେଶକୁ ୫ଜି ସେବା ପରିସରଭୁକ୍ତ କରିବା ଯୋଜନା ଅଛି । ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୨ରେ କାର୍ଯ୍ୟକ୍ରମ ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ସେବାକୁ ଆରମ୍ଭ କରିଛନ୍ତି । ଭାରତ ଉପରେ ୫ଜି ର ମୋଟ ଅର୍ଥନୈତିକ ପ୍ରଭାବ ୨୦୩୫ ସୁଦ୍ଧା ୪୫୦ ବିଲିୟନ ଆମେରିକୀୟ ଡଲାର ପର୍ଯ୍ୟନ୍ତ ହେବ ବୋଲି ଆକଳନ କରାଯାଇଛି। ୪-ଜି ଅପେକ୍ଷା ୫ଜି ନେଟୱାର୍କ ସ୍ପିଡ୍ ୧୦ ଗୁଣ ଅଧିକ ଓ ଏହା ନିରବଚ୍ଛିନ୍ନ କନେକ୍ଟିଭିଟି ପ୍ରଦାନ କରିଥାଏ । ୫ଜି ସେବା ନୂଆ ଅର୍ଥନୈତିକ ସୁଯୋଗ ଏବଂ ସାମାଜିକ ଲାଭ ଆଣିବ ବୋଲି ଆଶା କରାଯାଉଛି ।
ପଞ୍ଚମ ପିଢ଼ି ତଥା ୫ଜି ଟେଲିକମ୍ ସେବା ଦ୍ବାରା ମାତ୍ର କିଛି ସେକେଣ୍ଡ ମଧ୍ୟରେ ମୋବାଇଲ୍ କିମ୍ବା ଅନ୍ୟ ଡିଭାଇସରେ ଉଚ୍ଚମାନର ଲମ୍ବା ଭିଡିଓ କିମ୍ବା ଫିଲ୍ମ ଡାଉନଲୋଡ୍ କରି ହେବ । ଏହା ଏକ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ଡିଭାଇସକୁ ସପୋର୍ଟ କରିବ । ଏହି ସେବା ସୁପରଫାଷ୍ଟ ସ୍ପିଡ୍ (୪-ଜି ଠାରୁ ପ୍ରାୟ ୧୦ ଗୁଣ କ୍ଷୀପ୍ର) କନେକ୍ଟିଭିଟି ବିଳମ୍ବକୁ କାଟିବା ସହ ଏକା ସଙ୍ଗେ କୋଟି କୋଟି ଡିଭାଇସ୍ ମଧ୍ୟରେ ରିଅଲ୍ ଟାଇମ୍ ଡାଟା ସେୟାର କରିବାରେ ସକ୍ଷମ । ଏହା ୩-ଡି ହୋଲୋଗ୍ରାମ କଲିଂ, ମେଟାଭର୍ସର ଏକ ନୂଆ ଅନୁଭୂତି ପ୍ରଦାନ କରିବ । ୫ଜି ସେବାକୁ ଶୁଭାରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ମୋବାଇଲ କଂଗ୍ରେସ (ଆଇଏମସି) ର ଷଷ୍ଠ ସଂସ୍କରଣର ଉଦଘାଟନ କରିଥିଲେ। ଏଠାରେ ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ ପିଏମ ମୋଦୀଙ୍କୁ ୫ଜି ସେବା ବିଷୟରେ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ପ୍ରଥମ ଫେଜରେ ଭାରତର ୧୩ଟି ସହରରେ ୫ଜି ସେବାର ଶୁଭାରମ୍ଭ ହେଉଛି । ପ୍ରଥମ ଫେଜରେ ଅହମ୍ମଦାବାଦ, ବେଙ୍ଗଲୁରୁ, ଚଣ୍ଡୀଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲଖନଊ, ମୁମ୍ବାଇ ଓ ପୁଣେରେ ୫ଜି ସେବା ଆରମ୍ଭ ହେବ । ଇତିମଧ୍ୟରେ ୨୦୨୩ ସୁଦ୍ଧା ସମଗ୍ର ଦେଶର କୋଣ ଅନୁକୋଣରେ ୫ଜି ସେବା ଉପଲବ୍ଧ ହେବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।