ଜିମ୍ବାୱେ ଗସ୍ତରେ ଯିବେ ଭାରତୀୟ ଦଳ; ନେତୃତ୍ୱ ନବେ ରାହୁଲ
ନୂଆଦିଲ୍ଲୀ : ଜିମ୍ବାୱେ ଗସ୍ତରେ ଯିବେ ଭାରତୀୟ କ୍ରିକେଟ ଦଳ । ଦୀର୍ଘ ୬ ଛଅ ବର୍ଷ ପରେ ଆସନ୍ତା ଅଗଷ୍ଟ ୧୮ରୁ ୨୨ ତାରିଖ ମଧ୍ୟରେ ଭାରତୀୟ ଦଳ ଜିମ୍ବାୱେ ବିରୋଧରେ ତିନି ଦିନିକିଆ କ୍ରିକେଟ ମ୍ୟାଚ ଖେଳିବେ । ଜିମ୍ବାୱେର ହାରାରେ ସହରରେ ଏହି ସିରିଜ ଅନୁଷ୍ଠିତ ହେବ । ଓପନର କେଏଲ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି ।
ଏହି ସିରିଜ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ ସୁପର ଲିଗ ଅନ୍ତର୍ଗତ ହୋଇଥିବାରୁ ଭାରତ ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆସନ୍ତାବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଦିନିକିଆ ବିଶ୍ୱକପ ପାଇଁ ୧୩ ଦଳ ସିଧା ସଳଖ ଯୋଗ୍ୟତା ହାସଲ କରିବା ପାଇଁ ଥିବାରୁ ପ୍ରତ୍ୟେକ ସିରିଜର ଗୁରୁତ୍ୱ ରହିଛି । ଜିମ୍ବାୱେ ବର୍ତ୍ତମାନ ଆଇସିସି ସୁପର ଲିଗ ପର୍ଯ୍ୟାୟର ୧୨ତମ ସ୍ଥାନରେ ରହିଛି । କାରଣ ଜିମ୍ବାୱେ ଏହି ପର୍ଯ୍ୟାୟର ୧୫ ମ୍ୟାଚ ଖେଳି ତିନି ବିୟୟ ହାସଲ କରି ଥିବାରୁ ସବୁଠାରୁ ନିମ୍ନ ସ୍ଥାନରେ ରହିଛି । ସୂଚନା ଯେ, ଭାରତ ଶେଷ ଥର ପାଇଁ ୨୦୧୬ରେ ଜିମ୍ବାୱେ ଗସ୍ତରେ ଯାଇଥିଲା । ସେତେବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରି ତିନି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ ଖେଳିଥିଲା ।